ଶିଶୁଙ୍କ ହୃତ୍‌ପିଣ୍ଡରେ କ୍ଷତି ଘଟାଉଛି କୋଭିଡ୍‌

ନୂଆଦିଲ୍ଲୀ: କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ଠାରେ ମଲ୍ଟିସିଷ୍ଟମ୍‌ ଇନ୍‌ଫ୍ଲାମେଟରି ସିଣ୍ଡ୍ରୋମ୍‌(ଏମ୍‌ଆଇଏସ୍‌) ନାମକ ଏକ ସାଂଘାତିକ ଲକ୍ଷଣ ଦେଖାଯାଇଛି ଯାହା କି ସେମାନଙ୍କ ହୃତପିଣ୍ଡ୍‌ର ବ୍ୟାପକ କ୍ଷତି ପହଞ୍ଚାଉଛି ବୋଲି ଦି ଲାନ୍ସେଟ୍‌ର ଭେଷଜ ପତ୍ରିକା ଇକ୍ଲିନିକାଲ୍‌ମେଡିସିନ୍‌ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏପରିକି ଶିଶୁମାନଙ୍କର ଏହି ହୃତ୍‌ପିଣ୍ଡ କ୍ଷତି ଏତେ ମାରାତ୍ମକ ଯେ ସେମାନଙ୍କୁ ଆଜୀବନ କାଳ ନିରନ୍ତର ଅନୁଧ୍ୟାନ ଓ ଚିକିତ୍ସାରେ ରହିବାକୁ ପଡ଼ିପାରେ ବୋଲି ଟେକ୍ସାସ ବିଶ୍ବବିଦ୍ୟାଳୟ ସ୍ବାସ୍ଥ୍ୟବିଜ୍ଞାନ କେନ୍ଦ୍ରର ବରିଷ୍ଠ ଗବେଷକ ଡା. ଆଲଭାରୋ ମୋରିରା କହିଛନ୍ତି। ସେହି ହୃତ୍‌ପିଣ୍ଡର କ୍ଷତି ମଧ୍ୟରେ କରୋନାରି ରକ୍ତବାହିକାର ସମ୍ପ୍ରସାରଣ ଏବଂ ରକ୍ତସଂଚାଳନରେ ମନ୍ଥରତା ଆଦି ରହିଛି।

ଡା. ଆଲଭାରୋଙ୍କ କହିବା ଅନୁସାରେ, କୋଭିଡ୍‌ ଆକ୍ରାନ୍ତ ଶିଶୁମାନଙ୍କ ଠାରେ ଏହି ଏମ୍‌ଆଇଏସ୍‌ ଲକ୍ଷଣ ସୃଷ୍ଟି ହେବା ପାଇଁ ସେମାନଙ୍କୁ ତଥାକଥିତ ଶ୍ବାସକ୍ରିୟା ଜନିତ ସମସ୍ୟା ପ୍ରଦର୍ଶନ କରିବା ଆବଶ୍ୟକ ନାହିଁ। ଏପରିକି ଶିଶୁଙ୍କ ଠାରେ କୋଭିଡ୍‌ ସଂକ୍ରମଣ ହୋଇଥିବାର କିଛି ବି ଲକ୍ଷଣ ଦେଖାଯାଇନପାରେ। ମାତ୍ର କିଛି ସପ୍ତାହ ପରେ ସେମାନଙ୍କ ଠାରେ ଏହି ପ୍ରତ୍ୟଙ୍ଗ ଫୁଲା ଲକ୍ଷଣ(ଏମ୍‌ଆଇଏସ୍‌) ସ୍ପଷ୍ଟ ଜଣାପଡ଼ିଥାଏ। ଗତ ଜାନୁଆରି ୧ରୁ ଜୁଲାଇ ୨୫ ଭିତରେ ବିଶ୍ବ ତମାମ ଏପରି ଏମ୍‌ଆଇଏସ୍‌ ଲକ୍ଷଣ ଦେଖାଉଥିବା ୬୬୨ ଜଣ ଶିଶୁଙ୍କ ମାମଲାକୁ ଅନୁଧ୍ୟାନ କରି ଡା. ଆଲଭାରୋଙ୍କ ଦଳ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି। ଏପରିକି ସେହି ଶିଶୁଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଶିଶୁଙ୍କର ଇସିଜି ପରୀକ୍ଷାରୁ ଅସ୍ବାଭାବିକ ଫଳାଫଳ ମିଳିଥିବା ଗବେଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର