ନୂଆଦିଲ୍ଲୀ : ଚୀନ, ଆମେରିକା ଓ ଜାପାନରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢିଚାଲିଛି । ବିଶେଷକରି ଚୀନ ଅବସ୍ଥା ଚିନ୍ତା ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ହୋଇଉଠିଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ ବୁଧବାରଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶରୁ କୋଭିଡ ମୂଳପୋଛ ହୋଇନାହିଁ, ଏଣୁ ଯଥାଶୀଘ୍ର ସମସ୍ତେ କୋଭିଡ୍ ଟୀକା ନେଇଯାଆନ୍ତୁ ।

Advertisment

ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ ଜନସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ତଦାରଖ କରିଥିଲେ ।

ଏହି ବୈଠକ ବେଳେ ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ ଯେ, ଚୀନରେ ଦ୍ରୁତ ସଂକ୍ରମଣ ବୃଦ୍ଧି ପାଇଁ ଓମିକ୍ରନର ବିଏଫ.୭ ଭାରିଆଣ୍ଟ ଦାୟୀ । ତେବେ ଚୀନରେ ଏହି ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପାଇଁ ଚୀନ ଲୋକଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଦାୟୀ । ପୂର୍ବ ଲହରଗୁଡ଼ିକରୁ ଚୀନ ଲୋକମାନେ ମୁକ୍ତ ରହିଥିବାରୁ ଓମିକ୍ରନକୁ ସହ୍ୟ କରିବାକୁ ରୋଗ ପ୍ରତିରୋଧକ ଶକ୍ତି ସକ୍ଷମ ହୋଇନାହିଁ ।

ଏପର୍ଯ୍ୟନ୍ତ ଭାରତରେ ଏହି ବିଏଫ.୭ ଭାରିଆଣ୍ଟର ୩ଟି ମାମଲା ଚିହ୍ନଟ ହୋଇଛି । ତା ମଧ୍ୟରୁ ୨ଟି ଗୁଜରାଟରେ ଓ ଗୋଟିଏ ଓଡ଼ିଶାରେ ଚିହ୍ନଟ ହୋଇଛି । ମୋଟାମୋଟିଭାବେ ଦେଶରେ ସଂକ୍ରମଣ ହାର ସ୍ଥିର ରହିଛି । ତେବେ ସ୍ଥିତି ଉପରେ ନଜର ରଖାଯିବାର ଆବଶ୍ୟକତା ରହିଛି ।