କୋଭିଡ୍‌ ଏଯାଏ ବିଶ୍ବର ସବୁଠୁ ଖରାପ ସ୍ବାସ୍ଥ୍ୟ ସଂକଟ

ଜେନେଭା: ବିଶ୍ବରେ ଅଦ୍ୟାବଧି କୋଟିଏ ୬୭ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୬ ଲକ୍ଷ ୫୮ ହଜାର ମୃତ୍ୟୁର କାରଣ ସାଜିଥିବା କରୋନାଭୂତାଣୁ ମହାମାରୀ ବିଶ୍ବର ସବୁଠୁ ଖରାପ ସ୍ବାସ୍ଥ୍ୟ ସଂକଟ ଭାବେ ଉଭା ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଆଗରୁ କେବେ ବି ଏଭଳି ସ୍ଥିତିର ମୁକାବିଲା କରିନଥିଲା ବୋଲି ଏହାର ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ସୋମବାର କହିଛନ୍ତି। ତେବେ ନିୟମିତ ମାସ୍କ ପିନ୍ଧିବା ସହ ଜନଗହଳିରୁ ଦୂରେଇ ରହିବା ପରି କିଛି ସତର୍କତା ହିଁ ଏଥିରୁ ବଞ୍ଚାଇପାରିବ ବୋଲି ସେ ଆଶାପୋଷଣ କରିଛନ୍ତି। କାରଣ ଯେଉଁଠି ବି ଏହି ସବୁ ଔପଚାରିକତା ଅନୁସରଣ କରାଯାଉଛି, ସେଠାରେ ସଂକ୍ରମିତଙ୍କ ସଂଖ୍ୟା କଳ୍ପନାତୀତ ଭାବେ କମିଆସିଥିବା ଜଣାଯାଇଛି।

ଏହି ଭଳି ଭାବେ ସଂକ୍ରମଣର ବ୍ୟାପକତାକୁ ନିୟନ୍ତ୍ରଣ କରିଥିବା କାନାଡ଼ା, ଚୀନ୍‌, ଜର୍ମାନୀ ଏବଂ ଦକ୍ଷିଣ କୋରିଆ ଆଦି ଦେଶକୁ ସେ ଖୁବ୍‌ ପ୍ରଶଂସା କରିଛନ୍ତି। ସେହିପରି ଦ୍ବିତୀୟ ସଂକ୍ରମଣ ଢେଉ, ନୂତନ ସଂକ୍ରମଣ ଶୀର୍ଷ, ଆଞ୍ଚଳିକ ସଂକ୍ରମଣ କେନ୍ଦ୍ର ପରି ଶବ୍ଦଗୁଡ଼ିକର ସଂଜ୍ଞା ବ୍ୟାଖ୍ୟା କରିବା ଅପେକ୍ଷା ତାହା ଉପରେ ଗୁରୁତ୍ବ ଦେଇ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦେବାର ସମୟ ଆସିଛି ବୋଲି ହୁ’ ଜରୁରୀକାଳୀନ ଯୋଜନା ମୁଖ୍ୟ ମାଇକ୍‌ ରିଆନ୍‌ କହିଛନ୍ତି। ସେଥିପାଇଁ ଦେଶଗୁଡ଼ିକ ନିଜ ସୀମାକୁ ବନ୍ଦ କରିଦେବାଟା ଆଦୌ ସମ୍ଭବ ନୁହେଁ। ବରଂ ସେହି ଘାତକ ଭୂତାଣୁ ଉପରେ ଚାପ ପ୍ରୟୋଗ କଲେ ହିଁ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ସେ ଆଶାବାଦୀ ଥିବା କରିଛନ୍ତି। ଅପରପକ୍ଷେ, ସଂକ୍ରମଣ ଉପରେ ଚାପ ପକାଇବା ସହିତ ସଂକ୍ରମଣଶୀଳ ଗୋଷ୍ଠୀଙ୍କୁ ଚିହ୍ନଟ କରି ଯଥା ସମ୍ଭବ ଜୀବନ ବଞ୍ଚାଇବା ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ହୁ’ ମହାନିର୍ଦ୍ଦେଶକ ଘେବ୍ରେୟେସସ୍‌ କହିଛନ୍ତି। ସେ ଦୃଷ୍ଟିରୁ ଜାପାନ ଓ ଅଷ୍ଟ୍ରେଲିଆ ପ୍ରଶଂସାର ପାତ୍ର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର