ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ ସଂକ୍ରମଣର ବ୍ୟାପକତା ପରେ ଜନଜୀବନରେ ସ୍ବାଭାବିକତା ଫେରାଇ ଆଣିବାକୁ ଦୃଷ୍ଟିରେ ରଖି ଏବେ ଦେଶରେ ଅନ୍ଲକ୍ ପରିସ୍ଥିତି ଆରମ୍ଭ ହୋଇଥିବା ବେଳେ ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ବିଭିନ୍ନ ରାଜ୍ୟରେ ପୁଣି ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ତେବେ ପୂର୍ବର ଚାରି ପର୍ଯ୍ୟାୟ ଲକ୍ଡାଉନ୍ ପରି ଏଥର ଆଉ ସବୁ ଅଞ୍ଚଳରେ ଏକାପ୍ରକାର କଟକଣା ଲାଗୁ କରାଯାଇନାହିଁ। ଅପରପକ୍ଷେ, ନିଜ ଅଞ୍ଚଳରେ କରୋନାଭୂତାଣୁ ସଂକ୍ରମଣର କ୍ଷିପ୍ରତା ଏବଂ ସର୍ବସାଧାରଣ ଜୀବନକୁ ଚଳମାନ କରିବା ଲକ୍ଷ୍ୟରେ ରାଜ୍ୟମାନେ ଗତ କିଛି ଦିନ ହେଲା ସଂପୂର୍ଣ୍ଣ, ଆଂଶିକ ବା ସାପ୍ତାହିକ ଭଳି ବିଭିନ୍ନ ପ୍ରକାର ଲକ୍ଡାଉନ୍ ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ବିହାର, ସିକିମ୍ ଓ ନାଗାଲାଣ୍ଡ ଭଳି ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷିତ ହୋଇଥିବା ବେଳେ ପଶ୍ଚିମବଙ୍ଗ ସରକାର ସପ୍ତାହକୁ ଦୁଇଦିନିଆ ଲକ୍ଡାଉନ୍ ବ୍ୟବସ୍ଥା କରିଛନ୍ତି। ଅପରପକ୍ଷେ, ପଞ୍ଜାବ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ସପ୍ତାହାନ୍ତ ଲକ୍ଡାଉନ୍କୁ ପସନ୍ଦ କରିଛନ୍ତି। ସେହିପରି ଆସାମର କାମରୂପ ଜିଲ୍ଲା, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଏବଂ ଛତିଶଗଡ଼ର ରାୟପୁର ପରି ୩୨୬ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମେତ ମୋଟ ୭୩୪ଟି ଜିଲ୍ଲାରେ ମଧ୍ୟ ବିଭିନ୍ନ ପ୍ରକାର ଲକ୍ଡାଉନ୍ ସ୍ଥିତି ଲାଗୁ ହୋଇଛି।
ସୂଚନା ଥାଉ କି, ଗତ ଜୁନ୍ ପହିଲାରେ କେନ୍ଦ୍ର ସରକାର ଦେଶବ୍ୟାପୀ ଜାରି ହୋଇଥିବା ଜାତୀୟ ଲକ୍ଡାଉନ୍ କଟକଣାକୁ ହଟାଇ ନେଇଥିଲେ। ତେବେ ଆବଶ୍ୟକ ସ୍ଥଳେ ରାଜ୍ୟମାନେ ନିଜ ସୁବିଧାରେ ନିଜ ଅଞ୍ଚଳମାନଙ୍କରେ ଲକ୍ଡାଉନ୍ କିମ୍ବା ଅନ୍ୟ କୌଣସି କଟକଣା କରିପାରିବେ ବୋଲି ସୁପାରିସ କରିଥିଲେ। ଲକ୍ଡାଉନ୍ ହଟିବା ପରଠାରୁ ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଜୁନ୍ ୧ରୁ ଜୁଲାଇ ୨୦ ଭିତରେ ପାଖାପାଖି ଦୁଇଗୁଣା( ୬,୦୪,୯୯୩ରୁ ବଢ଼ି ୧୧,୫୩,୪୨୮) ହୋଇଯାଇଛି। ତେବେ କୋଭିଡ୍ ସଂକ୍ରମଣ ରୋକିବା ଲାଗି ଲକ୍ଡାଉନ୍ ଏକ ସମାଧାନ ନୁହେଁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଟିପ୍ପଣୀ କରିବା ସହ ରାଜଧାନୀ ବେଙ୍ଗାଲୁରୁରେ ସପ୍ତାହକ ପାଇଁ ଲକ୍ଡାଉନ୍ ସମ୍ପ୍ରସାରଣକୁ ମନା କରିଦେଇଛନ୍ତି। ଅପରପକ୍ଷେ, କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ କିଛି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ପୁଣି ଲାଗୁ ହୋଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/india-cops-e1585057449568.jpg)