ପ୍ରୟାଗରାଜ : କୋଭିଡ୍-୧୯ ରୋଗରେ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ତୁଳନାରେ ଭାରତରେ ମୃତ୍ୟୁହାର କମ୍ ରହିବାର କାରଣ ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ପ୍ରଫେସର ଜ୍ଞାନେଶ୍ବର ଚୌବେଙ୍କ ନେତୃତ୍ବରେ ୬ଟି ଅନୁଷ୍ଠାନର ଜୈବ ବିଶେଷଜ୍ଞଙ୍କୁ ନେଇ ଗଠିତ ଗବେଷକମଣ୍ଡଳୀ ବିଭିନ୍ନ ମହାଦେଶର ଜନବସତିରୁ ସଂଗୃହୀତ ଏସିଇ-୨ ବଂଶାନୁକ୍ରମିକ ଜୈବ ଉପାଦାନର ତଥ୍ୟକୁ ବିଶ୍ଳେଷଣ କରି ଏହି ନିର୍ଯାସ ପାଇପାରିଛନ୍ତି। ଭାରତୀୟଙ୍କ ବଂଶାନୁକ୍ରମିକ ଏକକ(ଜିନ୍) ହିଁ ସେମାନଙ୍କୁ କରୋନା ଭୂତାଣୁର ଶିକାର ହେବାରୁ ବଞ୍ଚାଇପାରିଛି। ଗବେଷକମାନେ ଏକ ସମ୍ଭାବ୍ୟ ଆଣବିକ ଜୈବିକ ବିଶ୍ଳେଷଣ ବ୍ୟାଖ୍ୟା କରିବାରେ ସମର୍ଥ ହୋଇଛନ୍ତି। ସେମାନେ ଇରାନୀୟ, ଇରୋପୀୟ ଓ ଆମେରିକୀୟଙ୍କ ପରି ୟୁରୋପୀୟ ବଂଶଜମାନେ କାହିଁକି ଭାରତ ତଥା ପୂର୍ବ ଏସିଆର ଲୋକଙ୍କ ଅପେକ୍ଷା କରୋନା ଭୂତାଣୁର ଅଧିକ ଶିକାର ହେଉଛନ୍ତି ବୋଲି ଦର୍ଶାଇଛନ୍ତି।
କରୋନାକୁ ନେଇ ୫୦% ଭାରତୀୟ ଉଦ୍ବିଗ୍ନ
ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟଙ୍କ ମନରେ ଗଭୀର ଆତଙ୍କ ଓ ଉଦ୍ବେଗ ସୃଷ୍ଟି କରିଛି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ସର୍ଭେ ରିପୋର୍ଟ ଅନୁସାରେ ୫୦% ଭାରତୀୟ କରୋନା ଯୋଗୁଁ ମାନସିକ ଉଦ୍ବିଗ୍ନ ଅବସ୍ଥାରେ ଅଛନ୍ତି। ସେହିଭଳି ପ୍ରତି ୪ ଜଣରେ ଜଣେ ଭାରତୀୟ କରୋନାକୁ ନେଇ ମାନସିକ ଚାପରେ ଅଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ନୂଆଦିଲ୍ଲୀର ମାକ୍ସ ହେଲ୍ଥ କେୟାରର ମାନସିକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଓ ମହାରାଷ୍ଟ୍ରରେ ଏକ ସର୍ଭେ କରାଯାଇଥିଲା। ପ୍ରତିଷ୍ଠାନର ନିର୍ଦ୍ଦେଶକ କହିଛନ୍ତି, ୫୫% କରୋନା ଯୋଗୁଁ ମାନସିକ ଉଦ୍ବିଗ୍ନ ଅବସ୍ଥାରେ ଅଛନ୍ତି। କରୋନାକୁ ନେଇ ଏମାନେ ନାନା ଦୁଶ୍ଚିନ୍ତା ମଧ୍ୟରେ ରହୁଛନ୍ତି। ବିଶେଷକରି ୧୮ରୁ ୩୪ ବର୍ଷ ବୟସ ମଧ୍ୟରେ ୬୨% ଭାରତୀୟ ମାନସିକ ଉଦ୍ବିଗ୍ନ ଅବସ୍ଥାରେ ରହୁଛନ୍ତି।