ନୂଆଦିଲ୍ଲୀ: ଦେଶରେ ହଠାତ୍ ପୁଣିଥରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଗୁରୁବାର ଦିନ ବିଦେଶରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନୂତନ ନିୟମ ଅନୁଯାୟୀ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ କୋଭିଡ୍-୧୯ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି।
ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ଯାତ୍ରୀଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ। ନିର୍ଦ୍ଦେଶାବଳୀରେ ଏହା ମଧ୍ୟ କୁହାଯାଇଛି ଯେ ଯାତ୍ରୀମାନେ ସେମାନଙ୍କ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ କୋଭିଡ୍-୧୯ ପରୀକ୍ଷା କରାଇବେ। ଏବଂ କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ସହ ଯାତ୍ରୀମାନଙ୍କୁ ବିମାନରେ ଚଢ଼ିବା ପୂର୍ବରୁ ବିମାନ ବନ୍ଦରରେ କରୋନାଭାଇରସ୍ ସ୍କ୍ରିନିଂ ପରୀକ୍ଷା ଦେବାକୁ ପଡିବ।
ଭାରତ ଅଭିମୁଖେ ଯାତ୍ରା କରିବାକୁ ଥିବା ସମସ୍ତ ଯାତ୍ରୀଙ୍କୁ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ନିଜ ନିଜର କୋଭିଡ୍-୧୯ ନେଗେଟିଭ୍ ରିପୋର୍ଟ ଏୟାର ଇଣ୍ଡିଆ ଏକ୍ସପ୍ରେସର ପୋର୍ଟାଲରେ ଅପ୍ଲୋଡ କରିବା ସହ ଏକ ଆତ୍ମ-ଘୋଷଣା ଫର୍ମ ପୂରଣ କରିବାକୁ ପଡ଼ିବ ବୋଲିଏୟାର ଇଣ୍ଡିଆ ଏକ୍ସପ୍ରେସ୍ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଏଥିସହ ସମସ୍ତ ଯାତ୍ରୀଙ୍କୁ ବିମାନରେ ଚଢ଼ିବା ପୂର୍ବରୁ ଆରୋଗ୍ୟ ସେତୁ ଆପ୍ର ଡାଉନଲୋଡ୍ ଏବଂ ଇନଷ୍ଟଲ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।