ନୂଆଦିଲ୍ଲୀ: କୋଭିଡ୍-୧୯ ବିଶ୍ବର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଦକ୍ଷିଣ-ପୂର୍ବ ଏସିଆରେ (ଏସ୍ଇଏ) ପ୍ରଥମେ ପହଞ୍ଚିଥିଲା। ଏହି ଭୂତାଣୁ କେବଳ ଜନସ୍ୱାସ୍ଥ୍ୟ ଉପରେ ନୁହେଁ, ବରଂ ଦକ୍ଷିଣ-ପୂର୍ବ ଏସିଆ ଅର୍ଥନୀତି ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଥିଲା ଯାହା ମୁଖ୍ୟତଃ ପର୍ଯ୍ୟଟନ ଓ ରପ୍ତାନି ଉପରେ ନିର୍ଭରଶୀଳ। ସ୍ୱାସ୍ଥ୍ୟ ଓ ଅର୍ଥନୀତି ଉପରେ କୋଭିଡ୍-୧୯ର ପ୍ରଭାବ ସମ୍ପର୍କରେ ଅନେକ ଆଲୋଚନା କରାଯାଇଥିଲେ ବି ଏହାର ରାଜନୈତିକ ଦିଗକୁ ଅଣଦେଖା କରାଯାଇଛି। କୋଭିଡ୍-୧୯ ମହାମାରୀ କାରଣରୁ ଦକ୍ଷିଣ-ପୂର୍ବ ଏସିଆ ରାଜନୈତିକ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି। କେବଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ନୁହେଁ ବରଂ ଏକଚ୍ଛତ୍ର ଶାସନାଧୀନ ଦେଶଗୁଡ଼ିକରେ ମଧ୍ୟ ପ୍ରଭାବ ପଡ଼ିଛି। କୋଭିଡ୍-୧୯ ଜନିତ ଆର୍ଥିକ କ୍ଷତି ଇଣ୍ଡୋନେସିଆ, ଫିଲିପାଇନ୍ସ, ମାଲେସିଆ ଏବଂ ଥାଇଲାଣ୍ଡ ସମେତ ଅନେକ ଦେଶରେ ଲୋକଙ୍କୁ ହତାଶ କରିଛି। କୋଭିଡ୍-୧୯ ଯୋଗୁ ଲୋକମାନେ ଅଧିକ ଦୁଃଖୀ ହୋଇଛନ୍ତି ଏବଂ ଅନେକ ଜାଗାରେ ବିକ୍ଷୋଭ ପ୍ରଦର୍ଶନ ବି କରିଛନ୍ତି। ଗତ କିଛି ମାସ ମଧ୍ୟରେ ଥାଇଲାଣ୍ଡ ଓ ମ୍ୟାନମାରରେ ଅନେକ ସରକାର-ବିରୋଧୀ ପ୍ରତିବାଦ ପ୍ରଦର୍ଶିତ ହୋଇଯାଇଛି। ସେହିଭଳି ମାଲେସିଆରେ ଚଳିତ ବର୍ଷ ପ୍ରାରମ୍ଭରେ ରାଜନୈତିକ ବିବାଦ ଓ ଜନସାଧାରଣଙ୍କ କ୍ରୋଧ ଯୋଗୁଁ ସରକାରର ପତନ ଘଟିଛି।
ରାଜନୀତିରେ ମହାମାରୀର ପ୍ରଭାବ କେବଳ ସ୍ୱଳ୍ପ ସମୟ ମଧ୍ୟରେ ଯେ ଦୃଶ୍ୟମାନ ହୋଇଛି ତାହା ନୁହେଁ ବରଂ ସମୟ ଗଡ଼ିବା ସହିତ ଏହା ଅଧିକ ଘନୀଭୂତ ହେବ। ମହାମାରୀ ସମୟରେ ଦକ୍ଷିଣ-ପୂର୍ବ ଏସିଆରେ ଅନେକ ରାଜନୈତିକ ଧାରା ପରିଲକ୍ଷିତ ହୋଇଛି। ମହାମାରୀ ଆସିବା ପରେ ଅନେକ ଦେଶରେ ଶାସନର ବିଫଳତା ଏକ ସାଧାରଣ ଧାରା ପାଲଟିଛି। ସରକାରଗୁଡ଼ିକ ନାଗରିକମାନଙ୍କ ସୁରକ୍ଷା, ଜନସ୍ୱାସ୍ଥ୍ୟ, ଶିକ୍ଷା ଓ ଆଇନ ସହାୟତା ଭଳି ମୌଳିକ ଆବଶ୍ୟକତା ଯୋଗାଇବାକୁ ବାଧ୍ୟ। ତେବେ ଏହି ମହାମାରୀରେ ଅନେକ ଦେଶ ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି। ଉଦାହରଣ ସ୍ବରୂପ, କୋଭିଡ୍-୧୯ ସଂକ୍ରମଣରେ ବୃଦ୍ଧି ହେତୁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରବଳ ଚାପଗ୍ରସ୍ତ ହୋଇ ଭୁଶୁଡ଼ିପଡ଼ିଲା ଏବଂ ଏହାକୁ ସୁଦୃଢ଼ କରିବାରେ ଅନେକ ସରକାର ଅକ୍ଷମତା ପ୍ରକାଶ କଲେ। ଏକ ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ଦୁର୍ବଳତା କୋଭିଡ୍-୧୯ ପଦାକୁ ଆଣିଥିଲା। ଏହାଦ୍ୱାରା ସେନାର ପ୍ରାଧାନ୍ୟ ବଢ଼ିଲା। ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସରେ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସରକାର ବିଫଳ ହୋଇ ସାମରିକ ବାହିନୀର ସାହାଯ୍ୟ ଲୋଡ଼ିବାକୁ ବାଧ୍ୟ ହୋଇଥିଲେ। କୋଭିଡ୍-୧୯ ସଂକଟ ଟାଳିବାକୁ ସରକାର ବିଫଳ ହେବା ଯୋଗୁ ମ୍ୟାନମାର ସୈନ୍ୟବାହିନୀ ଏହି ଦାୟିତ୍ବ ଗ୍ରହଣ କଲା, ଯାହାଫଳରେ ଅଙ୍ଗ ସାନ ସୁ କିଙ୍କ ନେତୃତ୍ୱାଧୀନ ଗଣତାନ୍ତ୍ରିକ ସରକାର ଭାଙ୍ଗି ସାମରିକ ଶାସନ ପୁନଃସ୍ଥାପିତ ହେଲା।
ଅନେକ ସରକାର ମହାମାରୀ କଟକଣା ଆଳରେ ନାଗରିକଙ୍କ ସ୍ବାଧୀନତା ଓ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ଥାଇଲାଣ୍ଡ, ସିଙ୍ଗାପୁର ଓ କାମ୍ବୋଡିଆ ସେମାନଙ୍କ କୋଭିଡ୍-୧୯ ପରିଚାଳନା ସମାଲୋଚକଙ୍କୁ ଜବତ କରିବା ପାଇଁ ଭୁଲ ତଥ୍ୟ ପ୍ରଦାନ ବିରୋଧୀ ଆଇନ ପ୍ରଣୟନ କରିଛନ୍ତି। ସରକାରୀ ସମାଲୋଚକଙ୍କୁ ଟାର୍ଗେଟ କରିବା ପାଇଁ ଫିଲିପାଇନ୍ସ ମଧ୍ୟ ସାଇବର ଅପରାଧ ଆଇନ ବ୍ୟବହାର କରିଛି।
ଧ୍ରୁବୀକରଣ ଓ ଜାତି-ଧର୍ମ ରାଜନୀତିରେ ମଧ୍ୟ ବୃଦ୍ଧି ଘଟିଛି। ବୌଦ୍ଧ ସଂଖ୍ୟାଗରିଷ୍ଠ ମ୍ୟାନମାରରେ ସରକାର ଓ ନାଗରିକମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ନିଜ ଦେଶରେ ମହାମାରୀ ବିସ୍ତାର ପାଇଁ ଦାୟୀ କରୁଛନ୍ତି। ସେହିଭଳି, ଇଣ୍ଡୋନେସିଆ ଓ ମାଲେସିଆ କୋଭିଡ୍-୧୯ର ପ୍ରସାର ପାଇଁ କିଛି ସମ୍ପ୍ରଦାୟକୁ ଘୃଣା କରିବା ଦେଖାଯାଉଛି। ସୁତରାଂ କୋଭିଡ୍-୧୯ର କେବଳ ସ୍ବାସ୍ଥ୍ୟ ଓ ଅର୍ଥନୀତି ଉପରେ ନୁହେଁ, ରାଜନୀତି ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡ଼ିଛି।