ନୂଆଦିଲ୍ଲୀ : ସ୍ବାବ୍ ନମୁନା ପରୀକ୍ଷଣରେ କରୋନାଭୂତାଣୁ ନାହିଁ ବୋଲି ଜଣାପଡ଼ିଥିଲେ ବି ପରେ ଜଣେ କୋଭିଡ୍ ସଂକ୍ରମିତ ହୋଇଥିବା ଭଳି ଅନେକ ନଜିର ରହିଛି। ତେବେ ଏପରି ଦ୍ବନ୍ଦ୍ବାତ୍ମକ ସ୍ଥିତି କିପରି ଆସୁଛି ତାହା ହିଁ ଚିକିତ୍ସକମାନଙ୍କୁ ବିବ୍ରତ କରିଛି। ଜଣେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ କି ନୁହେଁ ତାହା କେବଳ ଆର୍ଟି-ପିସିଆର୍(ରିଭର୍ସ ଟ୍ରାନ୍ସକ୍ରିପ୍ସନ୍- ପଲିମରେଜ୍ ଚେନ୍ ରିଆକ୍ସନ) ପରୀକ୍ଷଣ ଦ୍ବାରା ନିରୂପିତ ହୋଇଥାଏ। ତେବେ ବେଳେବେଳେ ଏହି ଆର୍ଟି-ପିସିଆର୍ ସରଞ୍ଜାମର ତ୍ରୁଟିପୂର୍ଣ୍ଣ ଫଳାଫଳ ସଠିକ୍ ତଥ୍ୟ ଦେଇପାରିନଥାଏ। ଜଣଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଦେବାର ସାତ ଦିନ ଭିତରେ ନମୁନା ପରୀକ୍ଷା କରାଇଲେ ସେଥିରୁ ୭୦ ପ୍ରତିଶତ ସଠିକ୍ ଫଳାଫଳ ମିଳୁଥିବା ବେଳେ ଲକ୍ଷଣ ଦେଖାଦେବାର ୧୪ ଦିନ ପରେ ପରୀକ୍ଷା କରାଇଲେ ୫୪ ପ୍ରତିଶତ ନିର୍ଭୁଲ୍ ଫଳାଫଳ ଆସିବ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି।
ତେବେ ଏତେ ଦାମୀ ସରଞ୍ଜାମ ବ୍ୟବହାର ପୂର୍ବକ ଫଳାଫଳର ଏପରି ତାରତମ୍ୟ ପଛରେ ରୋଗୀଠାରୁ ଠିକ୍ରେ ନମୁନା ସଂଗୃହୀତ ନହେବା ଏବଂ ସେହି ସମୟ ଭିତରେ ରୋଗୀ କିଛି ଆଣ୍ଟିବାୟୋଟିକ୍ ଔଷଧ ଗ୍ରହଣ କରୁଥିବା ଭଳି ଅନେକ କାରଣ ରହିଛି। ସୁତରାଂ କୌଣସି ପ୍ରକାର ଦ୍ବନ୍ଦ୍ବରୁ ନିବୃତ୍ତ ରହିବା ଲାଗି ରୋଗୀର ସ୍ବାବ୍ ପରୀକ୍ଷଣ ସହ ଆଣ୍ଟିବଡି ପରୀକ୍ଷା ଏବଂ ସିଟି ସ୍କାନ୍ ମଧ୍ୟ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ତିନିଟିରୁ ଦୁଇଟି ଫଳାଫଳ ପଜିଟିଭ୍ ହେଲେ ରୋଗୀଠାରେ କୋଭିଡ୍-୧୯ ସଂକ୍ରମିତ ବୋଲି ଧରିନେବାକୁ ହେବ।