ଦେଶରେ ବୃଦ୍ଧି ପାଉଛି ସୁସ୍ଥଙ୍କ ସଂଖ୍ୟା : ଆରୋଗ୍ୟ ସଂଖ୍ୟାରେ ବିଶ୍ୱରେ ଶୀର୍ଷ ସ୍ଥାନରେ ରହିଛି ଭାରତ

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବଢ଼ିଲେ ମଧ୍ୟ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଦିନ ଭାରତ ଆରୋଗ୍ୟ ସଂଖ୍ୟାରେ ବ୍ରାଜିଲ୍‌କୁ ଟପିଯାଇଛି। ତଥ୍ୟ ଅନୁଯାୟୀ ବିଶ୍ବରେ ମୋଟ୍‌ ୧ କୋଟି ୯୬ ଲକ୍ଷ ୨୫ ହଜାର ୯୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଭାରତରେ ୩୭ ଲକ୍ଷ ୮୦ ହଜାର ୧୦୭ ଜଣ ସୁସ୍ଥ ହେବା ସହ ଭାରତ ଆରୋଗ୍ୟ ସଂଖ୍ୟାରେ ବିଶ୍ବରେ ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷେ ବ୍ରାଜିଲ୍‌ରେ ୩୭ ଲକ୍ଷ ୨୩ ହଜାର ୨୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଆମେରିକାରେ ୨୪ ଲକ୍ଷ ୫୧ ହଜାର ୪୦୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ୭୭ ହଜାର ୫୧୨ ଜଣ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନାର ସଠିକ୍‌ ମୁକାବିଲା ଯୋଗୁଁ ଦେଶରେ ପ୍ରତି ୧୦ ଲକ୍ଷରେ ଏବେ ମୃତ୍ୟୁ ସଂଖ୍ୟା ୫୫ ରହିଛି ଏବଂ ସଂକ୍ରମଣ ମାମଲା ୩,୩୨୮ରେ ସୀମିତ ରହିଛି।

ଇତିମଧ୍ୟରେ କରୋନା ସଂକ୍ରମଣ ୪୮ ଲକ୍ଷ ଟପିଯାଇଛି। ଗତକାଲି ଗୋଟିଏ ଦିନରେ ପୁଣି ୯୨ ହଜାର ୭୧ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ଏବଂ ୧୧୩୬ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି। ମୋଟ୍‌ ସଂକ୍ରମଣ ମାମଲା ୪୮ ଲକ୍ଷ ୪୬ ହଜାର ୪୨୭କୁ ବୃଦ୍ଧି ପାଇଛି ଏବଂ ୭୯ ହଜାର ୭୨୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ତେବେ ଦେଶରେ ଆରୋଗ୍ୟ ହାର ୭୮ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ୍‌ ମୃତ୍ୟୁହାର ୧.୬୪ ପ୍ରତିଶତକୁ କମିଯାଇଛି। ଦେଶରେ ଏବେ ମୋଟ୍‌ ୯ ଲକ୍ଷ ୮୬ ହଜାର ୫୯୮ ସକ୍ରିୟ ମାମଲା ରହିଛି। ୩୭ ଲକ୍ଷ ୮୦ ହଜାର ୧୦୭ ଜଣ କରୋନାରୁ ସୁସ୍ଥ ‌ହେଲେଣି। ଦେଶରେ ସଂକ୍ରମଣ ମାମଲା ଅଗଷ୍ଟ ୭ରେ ୨୦ ଲକ୍ଷ ଥିବାବେଳେ ଅଗଷ୍ଟ ୨୩ରେ ୩୦ ଲକ୍ଷ ଏବଂ ସେପ୍ଟେମ୍ବର ୫ରେ ୪୦ ଲକ୍ଷକୁ ବୃଦ୍ଧି ପାଇଛି। ଆଇସିଏମ୍‌ଆର ଅନୁଯାୟୀ ସେପ୍ଟେମ୍ବର ୧୩ ସୁଦ୍ଧା‌ ଦେଶରେ ମୋଟ୍‌ ୫ କୋଟି ୭୨ ଲକ୍ଷ ୩୯ ହଜାର ୪୨୮ ନମୁନା ପରୀକ୍ଷା ହୋଇଛି। କେବଳ ରବିବାର ଦିନ ୯ ଲକ୍ଷ ୭୮ ହଜାର ୫୦୦ ନମୁନା ପରୀକ୍ଷା ହୋଇଛି।

ସମ୍ବନ୍ଧିତ ଖବର

Comments are closed.