ସୁସ୍ଥତା ହାରରେ ଭାରତର ରେକର୍ଡ : ଗତ ୨୪ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ କରୋନା ରୋଗୀ ସୁସ୍ଥ

୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଶତକଡା ୫୦ରୁ ଅଧିକ
ଦେଶରେ ଗୋଟିଏ ଦିନରେ ସର୍ବାଧିକ ୮.୬ ଲକ୍ଷ ପରୀକ୍ଷଣ

ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ ନିୟମିତ ଭାବେ କରୋନାରୁ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫୭,୩୮୧ ଜଣ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ଏହିଭଳି ଅଧିକ ରୋଗୀ ଆରୋଗ୍ୟ ହେବା ଦୃଷ୍ଟିରୁ ଭାରତର ସୁସ୍ଥତା ହାର ୭୦ ପ୍ରତିଶତ ପାର କରିଛି ଏବଂ କ୍ରମଶଃ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ହାର ଶତକଡା ୫୦ରୁ ଅଧିକ ରହିଛି । ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ସଂଖ୍ୟା ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି ।

ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୧୮ ଲକ୍ଷ ଅତିକ୍ରମ କରି ଆଜି ଏହା ୧୮,୦୮,୯୩୬ରେ ପହଞ୍ଚିଛି । ଏଥିଯୋଗୁଁ ସୁସ୍ଥ ରୋଗୀଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ ୧୧ ଲକ୍ଷରୁ ଅଧିକ ଅର୍ଥାତ ଆଜିସୁଦ୍ଧା ୧୧,୪୦,୭୧୬ରେ ପହଞ୍ଚିଛି ।

କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କୋଭିଡ ପରିଚାଳନାଗତ ସମନ୍ଵୟ ଯୋଗୁଁ ଏହି ସବୁଦିନିଆ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ।

Childrens Choice Therapy

ଦେଶରେ ବର୍ତ୍ତମାନ ୬,୬୮,୨୨୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଥିବା ବେଳେ ଏହା ମୋଟ ଆକ୍ରାନ୍ତଙ୍କ ଶତକଡା ୨୬.୪୫ ବୋଲି ଜଣାପଡିଛି । ସମସ୍ତ ସକ୍ରିୟ ରୋଗୀ ଡାକ୍ତରୀ ଚିକିତ୍ସାଧୀନ ଅଛନ୍ତି ।

ହସ୍ପିଟାଲରେ ଉପଯୁକ୍ତ ଉପଚାର, ଘରୋଇ ଏକାନ୍ତବାସର ତଦାରଖ, ଅମ୍ଳଜାନ ସହାୟତା, ରୋଗୀମାନଙ୍କ ପାଇଁ ଆମ୍ବୁଲାନ୍ସ ସେବାର ସଫଳ ପ୍ରୟୋଗ, କୋଭିଡ ରୋଗୀଙ୍କ ଚିକିତ୍ସା ଦାୟିତ୍ଵରେ ଥିବା ଚିକିତ୍ସକମାନଙ୍କୁ ଏମ୍‌ସ ବିଶେଷଜ୍ଞମାନଙ୍କ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଯୋଗୁଁ ରୋଗୀ ପରିଚାଳନା ଓ ଚିକିତ୍ସା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ଏଥିପାଇଁ ମୃତ୍ୟୁହାର ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଏହା ନିୟମିତ ଭାବେ ହ୍ରାସ ପାଇ ବର୍ତ୍ତମାନ ୧.୯୪ ପ୍ରତିଶତରେ ରହିଛି ।

ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିର ସଫଳତା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୮,୬୮,୬୭୯ ନମୁନା ପରୀକ୍ଷା କରାଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୨.୮୫ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।

ସାମଗ୍ରିକ ସଂକ୍ରମଣ ପରିଚାଳନା ଫଳସ୍ଵରୂପ ଦେଶରେ ନମୁନା ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ୯୬୮ଟି ସରକାରୀ ଓ ୪୯୭ଟି ଘରୋଇ ଏହିପରି ସମୁଦାୟ ୧୪୬୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।

ସମ୍ବନ୍ଧିତ ଖବର