ନୂଆଦିଲ୍ଲୀ : ଭାରତରେ କରୋନା ସ୍ଥିତି ଦିନକୁ ଦିନ ସୁଧୁରିବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା କମି ଚାଲିଥିବାବେଳେ ଆରୋଗ୍ୟଙ୍କ ସଂଖ୍ୟା ବଢିଚାଲିଛି । ଦେଶରେ ଏବେ ଆରୋଗ୍ୟ ହାର ୯୦ ପ୍ରତିଶତ ଟପିଯାଇଛି । ମାତ୍ର ପାର୍ବଣ ଋତୁରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ପରିଲକ୍ଷିତ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଦେଶରେ ଏବେ କରୋନା ଆରୋଗ୍ୟ ହାର ୯୦.୬୨ ପ୍ରତିଶତକୁ ବୃଦ୍ଧି ପାଇଛି ଓ ଏହା ନିୟମିତଭାବେ ବଢିଚାଲିଛି । ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ଦେଶର ପ୍ରାୟ ୭୮ ପ୍ରତିଶତ ସକ୍ରିୟ ମାମଲା ରହିଛି । ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା କରୋନା ଜନିତ ମୃତ୍ୟୁଗୁଡ଼ିକ ମଧ୍ୟରୁ ୫୮ପ୍ରତିଶତ ୫ଟି ରାଜ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ ଓ କର୍ଣ୍ଣାଟକରେ ହୋଇଛି । ଚଳିତ ପାର୍ବଣ ଋତୁରେ କେତେକ ରାଜ୍ୟ ଯେପରିକି କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ବଢିଥିବା ଲକ୍ଷ୍ୟ କରାଯାଇଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଆଇସିଏମଆରର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ଦେଶରେ ୧୭ ବର୍ଷରୁ କମ ବୟସ ଶ୍ରେଣୀରେ ମାତ୍ର ୮ ପ୍ରତିଶତ କରୋନା ସଂକ୍ରମିତ ହୋଇଛନ୍ତି । ୫ ବର୍ଷରୁ କମ ବୟସର ଶିଶୁଙ୍କ ମଧ୍ୟରେ ଏହା ଆହୁରି କମ ପରିଲକ୍ଷିତ ହୋଇଛି ।