ପ୍ୟାରିସ୍: ଏକ ଫରାସୀ ଦୈନିକରେ ନିକଟରେ ଏକ କାର୍ଟୁନ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଜଣେ ଅତି ଦୁଃସ୍ଥ ମଣିଷ କୋଭିଡ୍-୧୯ ଟିକା ନେବା ପାଇଁ ଜନୈକ ଡାକ୍ତରଙ୍କ ଚାମ୍ବରରେ ପହଞ୍ଚିଛି। ସେ ଡାକ୍ତରଙ୍କୁ କହୁଛି- ତୃତୀୟ ଲହର ଆସିବାରୁ ମୁଁ ଏଠିକି ପଞ୍ଚମ ଡୋଜ୍ ଟିକା ନେବାକୁ ଆସିଛି ନା ପଞ୍ଚମ ଲହର ଆସିବାରୁ ତୃତୀୟ ଡୋଜ୍ ନେବାକୁ ଆସିଛି? ଓମିକ୍ରନ୍ର ଆଶଙ୍କା ଭିତରେ ଡେଲ୍ଟା ଭାରିଆଣ୍ଟ ଯୋଗୁ ଫ୍ରାନ୍ସ ଏବେ କୋଭିଡ୍-୧୯ ମହାମାରୀର ପଞ୍ଚମ ଲହର ଦେଇ ଗତି କରୁଥିବା ବେଳେ ଲୋକଟି ଦ୍ବନ୍ଦ୍ବରେ ପଡ଼ିଯାଇଛି।
ଅନିଶ୍ଚିତତା ସବୁ ଯୋଜନାକୁ ବିଗାଡ଼ିଦେଉଛି। ଓମିକ୍ରନ୍ କେତେ ସଂକ୍ରାମକ ଓ କେତେ ଘାତକ ହୋଇପାରେ ତା’ ଉପରେ ନିର୍ଦ୍ଦିଷ୍ଟ ଭାବରେ କିଛି ଏ ପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ତା’ ନାଁ ଶୁଣିଲା ମାତ୍ରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଉଛି। ବ୍ୟସ୍ତତା ଓ ଅବସାଦ ଭରିଯାଉଛି। ଲୋକେ ବିଶ୍ବାସ କରିବାକୁ ଆରମ୍ଭ କରିଛନ୍ତି ଯେ, ଅତୀତର ପ୍ଲେଗ୍ ମହାମାରୀ ପରି କୋଭିଡ୍-ଯୁଗ ବର୍ଷ ବର୍ଷ ଧରି ଚାଲିବ। ଏପରି କି ଚୀନ୍ରେ ଗତ ଜାନୁଆରିରୁ କୌଣସି କୋଭିଡ୍-ମୃତ୍ୟୁର ରିପୋର୍ଟ ଆସି ନ ଥିଲେ ମଧ୍ୟ ଅନେକଙ୍କ ଭିତରେ ଚିନ୍ତା ଓ ଆଶଙ୍କା ଭରିରହିଛି। ଯେଉଁସବୁ ନୀତିନିୟମ ମାନିବା ଯୋଗୁ ସେମାନେ ବଞ୍ଚିରହିଛନ୍ତି, ତାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏକ କମ୍ପାନିର ଜଣେ କର୍ମଚାରୀ ଚେନ୍ ଜୁନ (୨୯) କହିଛନ୍ତି, ଏତେ ନୀତିନିୟମ ଓ ରୁଟିନବନ୍ଧା ଜୀବନକୁ ନେଇ ସେ କ୍ଳାନ୍ତ ହୋଇପଡ଼ିଲେଣି। ଗତ ଜୁନ୍ରେ କୋଭିଡ୍ ବ୍ୟାପିବା ପରେ ତାଙ୍କୁ ତିନିଥର ପରୀକ୍ଷା କରାଇବାକୁ ପଡ଼ିଥିଲା। ତା’ପରେ ତାଙ୍କୁ ୧୪ ଦିନ ଏକାନ୍ତବାସରେ ରଖାଗଲା। ତାଙ୍କର ବିଭିନ୍ନ ସ୍ଥାନକୁ ଯିବା ଆସିବା ବନ୍ଦ ହୋଇଗଲା। ଏ ମାହାମାରୀର ଅନ୍ତ ଘଟିବ ନାହିଁ ବୋଲି ଏକ ଧାରଣା ତାଙ୍କ ମନରେ ସୃଷ୍ଟି ହେବାକୁ ଆରମ୍ଭ କଲାଣି ବୋଲି ସେ କହିଛନ୍ତି।
ଏହିପରି ଧାରଣା ସହ ମାନସିକ ଚାପ ଅବସାଦ ଓ ବିଷାଦକୁ ଡାକି ଆଣୁଛି। ଏସିଆ, ୟୁରୋପ, ଆଫ୍ରିକା ଓ ଆମେରିକାରେ ଦୁଇ ଡଜନ ସାକ୍ଷାତ୍କାର ନେବା ପରେ ଲୋକଙ୍କ ଭିତରେ ମାନସିକ ଅବସାଦ ବୃଦ୍ଧି ପାଉଥିବା ଜଣାପଡ଼ିଛି। ନିଜ ନିଜ ଦେଶର ଅର୍ଥନୀତି ଓ ଲୋକଙ୍କୁ ରକ୍ଷା କରିବା ବିଭିନ୍ନ ଦେଶର ସରକାରମାନଙ୍କ ପାଇଁ ଆହ୍ବାନ ହୋଇ ଉଭା ହୋଇଛି। ମସ୍କୋର ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଏ ମହାମାରୀ ଯିବନି। ଏହା ଅଧିକ ଲୋକଙ୍କ ଜୀବନ ନେବ। ଏହିପରି ନୈରାଶ୍ୟଜନକ ଚିନ୍ତାଧାରା ଅନେକଙ୍କ ମନରେ ଦେଖାଦେଇଛି।
ବର୍ତ୍ତମାନ ସୁଦ୍ଧା ପୃଥିବୀର ୪୭ ପ୍ରତିଶତ ଲୋକ ଟିକା ନେଇ ସାରିଲେଣି। ତଥାପି ଏକଦା ସରଳରୈଖିକ ଥିବା ଜୀବନ ଏବେ ବୃତ୍ତାକାର ହେବାକୁ ଆରମ୍ଭ କଲାଣି। ସ୍କୁଲଗୁଡ଼ିକ ଖୋଲିଲା ପରେ ପୁଣି ବନ୍ଦ ହେଉଛି। କଟକଣା ହଟିଥିବା ବେଳେ ଓମିକ୍ରନ୍ ଯୋଗୁ ପୁଣି ଲାଗୁ ହେଉଛି। ଯାହାକୁ ଥରେ ରୋଗ ହୋଇ ଭଲ ହୋଇଯାଇଥିଲା, ସେମାନେ ଏବେ ଓମିକ୍ରନ୍ରେ ପୀଡ଼ିତ ହେଉଛନ୍ତି। ତେଣୁ ଲୋକଙ୍କ ଭିତରେ ଅବସାଦ ଦେଖାଯାଉଛି। ତେବେ ଲୋକମାନେ ନୂଆ ଭାରିଆଣ୍ଟକୁ ନେଇ ଯେତିକି ଚିନ୍ତିତ ନୁହନ୍ତି, ନୂଆ କର୍ଫ୍ୟୁ ବା ଲକ୍ଡାଉନ୍ର ସମ୍ଭାବନାକୁ ନେଇ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। ଯେତେବେଳେ ସବୁ କଟକଣା ହଟିବ ଓ ମୁହଁରେ ମାସ୍କ ବି ବାନ୍ଧିବାକୁ ପଡ଼ିବନି, ସେତେବେଳେ ଯାଇ ସମ୍ପୂର୍ଣ୍ଣ ସ୍ବାଭାବିକତା ଆସିବ।