ମହାରାଷ୍ଟ୍ରରେ ପୁଣି କଟକଣା, ସମାବେଶ ଉପରେ ଅଙ୍କୁଶ

ପୁଣେ : ମହାରାଷ୍ଟ୍ରରେ ମହାମାରୀ କରୋନାଭୂତାଣୁର ଅହେତୁକ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଟକଣା ଅଧିକ କଡ଼ାକଡ଼ି କରାଯାଇଛି। ରବିବାର ଦିନ ରାଜ୍ୟରେ ୬୯୭୧ ନୂଆ ମାମଲା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ହୋଇଥିଲା ଏବଂ ଏଥିରେ ସଂକ୍ରମଣକୁ ରୋକିବା ପାଇଁ ଅନେକ କଠୋର ପଦକ୍ଷେପ ନିଆଯାଇଛି। ରାଜ୍ୟର ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସମାବେଶ ଉପରେ ଅଙ୍କୁଶ ଲଗାଯିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି।

ପୁଣେରେ ସ୍ଥାନୀୟ ପ୍ରଶାସନ ସାରା ସହରରେ ରାତି କର୍ଫ୍ୟୁ ଜାରି କରିଛନ୍ତି। କୌଣସି ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ରାତି ୧୧ଟାରୁ ସକାଳ ୬ଟା ଯାଏ ସର୍ବସାଧାରଣ ଚଳପ୍ରଚଳକୁ ନିଷିଦ୍ଧ କରାଯାଇଛି। ସେହିପରି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ୨୮ ଯାଏ ବନ୍ଦ ଘୋଷଣା କରାଯାଇଛି। ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ଆକୋଲା, ଅମରାବତୀ, ୟବତମାଲ, ବୁଲଦାନା, ଵାର୍ଦ୍ଧା ଓ ନାଗପୁର ଆଦି ଜିଲ୍ଲାରେ କିଛି ଦିନ ହେଲା କ୍ରମବର୍ଦ୍ଧିଷ୍ଣୁ କୋଭିଡ୍‌ ସଂକ୍ରମଣ ପରିଲକ୍ଷିତ ହୋଇଥିବାବେଳେ ପୁଣେ ଓ ମୁମ୍ବାଇ ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା କଳ୍ପନାତୀତ ଭାବେ ବଢ଼ିଚାଲିଛି। ତେବେ ଏପରି ସଂକ୍ରମଣ ବୃଦ୍ଧି ପଛରେ ଲୋକମାନଙ୍କର ସ୍ଥାନ ପରିବର୍ତ୍ତନ(ବାହାରୁ ଆସିବା ଓ ଯିବା) ଏବଂ କୋଭିଡ୍‌ କଟକଣା ପ୍ରତି ଖାମଖିଆଲ ମନୋଭାବ ରହିଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅମରାବତୀରେ ଆଉ ଏକ ସପ୍ତାହ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରୁ ଏହା କାର୍ଯ୍ୟକାରୀ ହେବ ବୋଲି କ୍ୟାବିନେଟ୍‌ ମନ୍ତ୍ରୀ ଯଶୋମତୀ ଠାକୁର କହିଛନ୍ତି। ୨୮ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଦୃଷ୍ଟିରୁ ଏଥିରେ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି। ସେପ୍ଟେମ୍ବର ମାସ ମଧ୍ୟଭାଗରେ ଯେଭଳି କୋଭିଡ୍‌ ନିୟମ କଡ଼ାକଡ଼ି ଥିଲା ଅନୁରୂପ ଭାବେ ଅମରାବତୀ ଡିଭିଜନର ଆକୋଲା, ୟବତମାଲ, ବୁଲଧନ ଓ ୱାସିମ୍‌ ଆଦି ୪ଟି ଜିଲ୍ଲା ପାଇଁ ଲାଗୁ ହେବ। ଲୋକଙ୍କୁ ଅତ୍ୟାବଶ୍ୟକ ଜରୁରୀ ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ରରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଥିବା ସଙ୍କେତ ମିଳୁଥିବାରୁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର