ବୈତୁଲ: ଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Advertisment

ସର୍ବାଧିକ ଆକ୍ରାନ୍ତ ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି । ମହାରାଷ୍ଟ୍ରର ବୈତୁଲ ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି। ଏଥିପାଇଁ ସେଠାରେ ୫୬ ଘଣ୍ଟିଆ ଲକ୍‌ଡାଉନ୍‌ ଜାରି କରାଯାଇଛି। କିନ୍ତୁ ଚଳିତ ଥର ଲୋକମାନେ କରୋନା କଟକଣାକୁ ମାନିବାକୁ ରାଜି ନାହାନ୍ତି। ଅନେକ ସଚେତନତା ପରେ ବି ସେମାନେ କରୋନା ସଂକ୍ରମଣକୁ ଖାତିର ନ କରି ଏଣେତେଣେ ବୁଲୁଛନ୍ତି।

ପୁଲିସ ବି ଲୋକଙ୍କୁ ବୁଝାଇବୁଝାଇ ନାକେଦମ ହେଲାଣି। ଯାଞ୍ଚ ବେଳେ ଏମିତି ଅନେକ ଲୋକ ଧରାପଡ଼ିଛନ୍ତି ଯେଉଁମାନେ କି ବିନା କାରଣରେ ରାସ୍ତାରେ ବୁଲୁଥିଲେ। ଏଭଳି ପରିସ୍ଥିତିରେ ବୈତୁଲର ଗଞ୍ଜ ପୁଲିସ ଏକ ନୁଆ ଉପାୟ ଆପଣାଇଛି । ଅମାନିଆଙ୍କୁ ପୁଲିସ ଥାନାକୁ ନେଇ କରୋନା ସଚେତନତା ଉପରେ ତିଆରି ହୋଇଥିବା ଆନିମେସନ୍‌ ଫିଲ୍ମ ଦେଖାଇଥିଲା। ଏଥିରେ କରୋନାକୁ ନେଇ ସଚେତନତା ବୃଦ୍ଧି ପାଇବ ବୋଲି ଡିସିପି ବିବେକ କୁମାର ଗୌତମ କହିଛନ୍ତି।

ପୁଲିସ ମତରେ ଏହା ଦଣ୍ଡ ନୁହେଁ ବରଂ ଅମାନିଆକୁ କରୋନା ଭୟାବହତା ସମ୍ପର୍କରେ ବୁଝାଇବାର ସଠିକ ମାଧ୍ୟମ।