୪ଟି ରାଜ୍ୟକୁ ଛାଡ଼ିଦେଲେ ଦେଶର କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କୋଭିଡ ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଛି । ଜାନୁଆରି ୨୪ରେ ଦେଶର ହାରାହାରି ସଂକ୍ରମଣ ହାର ୨୦.୭୫ ପ୍ରତିଶତ ଥିବାବେଳେ ଏବେ ତାହା ୪.୪୪ ପ୍ରତିଶତକୁ କମିଆସିଛି । ଏହା ଦର୍ଶାଉଛି ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଲବ ଅଗ୍ରଓ୍ବାଲ ।

ସେ କହିଛନ୍ତି ଯେ ୪ଟି ରାଜ୍ୟ କେରଳ, ତାମିଲନାଡ଼ୁ,ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୫୦ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ୧୧ଟି ରାଜ୍ୟରେ ୧୦ ହଜାରରୁ ୫୦ ହଜାର ମଧ୍ୟରେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଏହି ଅବସରରେ ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ.ଭି.କେ.ପଲ କହିଛନ୍ତି ଯେ ଦେଶରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି ଓ ଏହା ଆଶାର ସଂଚାର କରିଛି । କିନ୍ତୁ କେରଳ, ମିଜୋରାମ ଓ ହିମାଚଳ ପ୍ରଦେଶରେ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି । ଏଣୁ ଆମେ ସତର୍କତାକୁ କମାଇପାରିବା ନାହିଁ ।

ସେ କହିଛନ୍ତି ଯେ, ଗତ ଦୁଇ ବର୍ଷରେ ବିଶ୍ବ ଏହି ମହାମାରୀ ସଂପର୍କରେ ଅନେକ କିଛି ଜାଣିପାରିଛି, କିନ୍ତୁ ସବୁକିଛି ଜାଣିପାରି ନାହିଁ । ଏଣୁ ଆମେ ସମସ୍ତଙ୍କୁ ମିଳିତଭାବେ ଏହା ବିରୋଧରେ ଲଢିବା ଆବଶ୍ୟକ ।

ସମ୍ବନ୍ଧିତ ଖବର