ବାରଣାସୀ(ଉତ୍ତରପ୍ରଦେଶ): ସମ୍ପ୍ରତି ଜାରି ରହିଥିବା କୋଭିଡ୍-୧୯ର ସଂକ୍ରମଣ ବୃଦ୍ଧି ଦେଶରେ ଉପଲବ୍ଧ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଛାରଖାର କରିଦେଇଛି। ଦିନକୁ ଦିନ ବଢ଼ି ଚାଲିଥିବା ସକ୍ରିୟ ମାମଲା ଯୋଗୁଁ ଜଣେ ସଂକ୍ରମିତ ପାଇଁ ତ ରୋଗୀଶଯ୍ୟାର ଅଭାବ ଦେଖାଦେଉଛି; ଏଥି ସହିତ ଅନ୍ୟ ଅଣକୋଭିଡ୍ ଗୁରୁତର ରୋଗୀ ମଧ୍ୟ ଜରୁରୀକାଳୀନ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଉତ୍ତରପ୍ରଦେଶର ବାରଣାସୀରେ ଗତ ସୋମବାର ଜଣେ ଯୁବକ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡ଼ି ଦଉଡ଼ି ଶେଷରେ ଚିକିତ୍ସା ସୁବିଧା ନପାଇ ଆଖି ବୁଜିବା ଘଟଣା ଆଲୋଡ଼ନ ଆଣିଦେଇଛି। ତେବେ ଦୁଃଖ ସେତିକିରେ ସରିନି; ଶବ ନେବା ପାଇଁ ଆମ୍ବୁଲାନ୍ସ କି ଶବବୁହା ଗାଡ଼ି ନମିଳିବାରୁ ମୃତକଙ୍କ ମାଆ ଏକ ଇ-ରିକ୍ସାରେ ଶବକୁ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାନୁଯାୟୀ, ଯୌନପୁରର ବିନୟ ସିଂହ କିଡ୍ନି ଜନିତ ଜରୁରୀକାଳୀନ ଚିକିତ୍ସା ପାଇଁ ବାରଣାସୀ ଆସିଥିଲେ। ପ୍ରଥମେ ସେ ବିଏଚ୍ୟୁ ସରକାରୀ ଡାକ୍ତରଖାନା ଯାଇଥିଲେ ହେଁ ସେଠାରେ ଅଣକୋଭିଡ୍ ଶଯ୍ୟା ନଥିବାରୁ ତାଙ୍କୁ ଘରୋଇ ଡାକ୍ତରଖାନା ଯିବାକୁ ପଡ଼ିଥିଲା। ମାତ୍ର ସେଠାରେ ମଧ୍ୟ ତାଙ୍କୁ ସମଦଶା ଭୋଗିବାକୁ ପଡ଼ିଥିଲା ଏବଂ ନିଜ ମାଆଙ୍କ ଆଖି ଆଗରେ ଚିକିତ୍ସା ଅଭାବରୁ ବିନୟଙ୍କର ଜୀବନ ଯାଇଥିଲା। ଘରକୁ ପୁଅର ଶବକୁ ନେବା ପାଇଁ ମାଆ ଚନ୍ଦ୍ରକଳା ଆମ୍ବୁଲାନ୍ସଟିଏ ଖୋଜିଲେ। ମାତ୍ର ତାହା ବି ମିଳିଲାନି। ଶେଷରେ ଏକ ଇ-ରିକ୍ସାରେ ଶବକୁ ଲଦି ସେ ଘରକୁ ଫେରିଥିଲେ। ସେହି ସମୟର ଏହି ହୃଦୟ ବିଦାରକ ଦୃଶ୍ୟ ଅନେକ ସଚେତନ ନାଗରିକଙ୍କ ମନରେ ଗଭୀର ଆଲୋଡ଼ନ ଆଣିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fhsfhsfh4fs98h4fsh46f5s46h5s4f56hfshhfsfshfhsfhfshsfh.jpg)