କୋଭିଡ୍‌ ଅନାଥ ଶିଶୁଙ୍କ ବେଆଇନ ପୌଷ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ: ସୁପ୍ରିମ୍‌କୋର୍ଟ

ସୁପ୍ରିମ୍‌କୋର୍ଟ ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ରେ ଅନାଥ ହୋଇପଡ଼ିଥିବା ଶିଶୁମାନଙ୍କୁ ବେଆଇନ ଭାବେ ପୋଷ୍ୟ କରିବାକୁ ଆଗେଇ ଆସୁଥିବା ବ୍ୟକ୍ତି ବିଶେଷ ଅଥବା ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମ୍‌କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ କରିଛନ୍ତି। ସୂଚନା ଥାଉ କି, କେନ୍ଦ୍ରୀୟ ପୋଷ୍ୟ ସମ୍ବଳ ପ୍ରାଧିକରଣ(କାରା)ଙ୍କ ଅଗୋଚରରେ କେହି କୌଣସି ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ମିଳିପାରିବ ନାହିଁ ବୋଲି ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ-୨୦୧୫ରେ ପ୍ରାବଧାନ ରହିଛି।

ତେବେ ସାମ୍ପ୍ରତିକ ସ୍ଥିତିରେ ଅନାଥ ଶିଶୁମାନଙ୍କୁ ପୋଷ୍ୟ କରିବା ପାଇଁ ଆମନ୍ତ୍ରଣ କରାଯିବାଟା ଆଇନବିରୁଦ୍ଧ ବୋଲି ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜଷ୍ଟିସ ଏଲ୍‌ ନାଗେଶ୍ବର ରାଓ ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି। ଅନାଥ ଶିଶୁଙ୍କ ପରିଚୟ ପ୍ରକାଶିତ କରି ସେମାନଙ୍କ ପାଇଁ କେହି ପାଣ୍ଠି ସଂଗ୍ରହ କରିପାରିବେନି ବୋଲି ମଧ୍ୟ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି। ଏପରି ଅନୈତିକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିବିଶେଷ କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଖଣ୍ଡପୀଠ ବିଭିନ୍ନ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ନିର୍ଦ୍ଦେଶ କରିଛନ୍ତି।

ସମ୍ବନ୍ଧିତ ଖବର