୨୪ ଘଣ୍ଟାରେ ୮.୫ ଲକ୍ଷ ନମୁନା ପରୀକ୍ଷା, ୬୪,୫୫୩ ନୂଆ ସଂକ୍ରମିତ ଚିହ୍ନଟ, ୧୦୦୭ ଜଣଙ୍କ ମୃତ୍ୟୁ

ଦେଶରେ ଦୈନିକ ଆରୋଗ୍ୟ ହାର ବଢ଼ୁଛି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଦେଶରେ ଆରୋଗ୍ୟ ହାର ପ୍ରତିଦିନ ବୃଦ୍ଧି ପାଉଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଦିଲ୍ଲୀ ଏମ୍ସରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ଏହା କହିଛନ୍ତି। ଖୁବ୍‌ ଶୀଘ୍ର କରୋନା ବିରୋଧୀ ଲଢ଼େଇରେ ଜିତିହେବ ବୋଲି ହର୍ଷବର୍ଦ୍ଧନ ଆଶା ପୋଷଣ କରିଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ଏମିତି କୌଣସି ଦିନ ନାହିଁ ଯେଉଁଦିନ ଆରୋଗ୍ୟ ହାର ବଢ଼ୁନାହିଁ। ପ୍ରତିଦିନ ମଧ୍ୟ ମୃତ୍ୟୁହାର କମୁଛି। ଦେଶରେ କୋଭିଡ୍‌ ଟେଷ୍ଟିଂ ମଧ୍ୟ ବୃଦ୍ଧି ପାଇଛି। ଏପ୍ରିଲ୍‌ରେ ମାତ୍ର ୬ ହଜାର ‌ଟେଷ୍ଟ୍‌ ହେଉଥିବାବେଳେ ଏବେ ଏହାର ୮ ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶ‌ରେ ସର୍ବାଧିକ ୮ ଲକ୍ଷ ୪୮ ହଜାର ୭୨୮ କୋଭିଡ୍‌ ଟେଷ୍ଟ୍‌ ହୋଇଛି। ଏଥିସହ ଦେଶରେ ମୋଟ୍‌ ୨ କୋଟି ୭୬ ଲକ୍ଷ ୯୪ ହଜାର ୪୧୬ ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୪ ହଜାର ୫୫୩ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧ହଜାର ୭ ଜଣଙ୍କ କରୋନା‌ରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୪ ଲକ୍ଷ ୬୧ ହଜାର ୧୯୦କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୪୮ ହଜାର ୪୦କୁ ବୃଦ୍ଧି ପାଇଛି। ୧୭ ଲକ୍ଷ ୫୧ ହଜାର ୫୫୫ ଜଣ କରୋନାରୁ ସୁସ୍ଥ ହେବା ସହ ଆରୋଗ୍ୟ ହାର ୭୧.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ଏବେ ୬.୬୦ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୨୬.୮୮ ପ୍ରତିଶତ।

ସମ୍ବନ୍ଧିତ ଖବର