ୟୁରୋପରେ କୋଭିଡ୍‌ ଟିକାକରଣ ଆରମ୍ଭ, ଫ୍ରାନ୍ସରେ ନୂତନ ପ୍ରଜାତି କରୋନାଭୂତାଣୁ ଠାବ

ପ୍ୟାରିସ୍: ବ୍ରିଟେନ୍‌ରେ ଆବିର୍ଭୂତ ଏକ ନୂତନ ପ୍ରଜାତିର ରୂପାନ୍ତିରତ କରୋନାଭୂତାଣୁ ମୂଳ ଭୂତାଣୁ ଅପେକ୍ଷା ୭୦ ପ୍ରତିଶତ ଅଧିକ ସଂକ୍ରମଣକ୍ଷମ ହେବା ସହ ୟୁରୋପୀୟ ରାଷ୍ଟ୍ରରେ ଏହାର ପ୍ରାଦୁର୍ଭାବ ବ୍ୟାପିବା ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ସାରା ୟୁରୋପରେ ଆତଙ୍କ ଖେଳିଯାଇଛି ଏବଂ ବିଭିନ୍ନ ରାଷ୍ଟ୍ର ପୁଣି ଥରେ ଲକ୍‌ଡାଉନ୍‌ ଭଳି କଠୋର କଟକଣା ଜାରି କରିଛନ୍ତି। ଶନିବାରଠାରୁ ୟୁରୋପୀୟ ରାଷ୍ଟ୍ରମାନଙ୍କରେ କୋଭିଡ୍‌ ଟିକାକରଣ ଆରମ୍ଭ ହୋଇଛି। ଯୁରୋପୀୟ ସଂଘର ସମସ୍ତ ୨୭ଟି ଯାକ ରାଷ୍ଟ୍ରରେ ଫାଇଜର-ଏନ୍‌ବାୟୋଟେକ୍‌ ଦ୍ବାରା ବିକଶିତ ଟିକାର ପ୍ରୟୋଗ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅନୁମତି ମିଳିବା ପରେ ଏଭଳି ଟିକାକରଣ ଆରମ୍ଭ ହୋଇଛି। ଅପରପକ୍ଷେ, ଏହି ଟିକାକରଣ ସାମ୍ପ୍ରତିକ ଦୁଃଖ ଲାଘବ ପାଇଁ ଖୋରାକ ଯୋଗାଉଥିବା ବେଳେ ସମଗ୍ର ବିଶ୍ବର ଟିକାକରଣ ପାଇଁ ବହୁତ ସମୟ ଲାଗିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ସତର୍କ କରାଇଦେଇଛନ୍ତି। ସେହିପରି ଏହି ସମସ୍ୟାରୁ ମୁକୁଳିବା ପାଇଁ ପ୍ରତ୍ୟେକଙ୍କ ନିମନ୍ତେ ଏକ ସମାଧାନର ବାଟ ବାହାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ ଆନ୍ତର୍ଜାତିକ ସଂଗଠନ ପ୍ରତିଦ୍ବନ୍ଦ୍ବିତା ନ କରି ପରସ୍ପର ସହଯୋଗ କରିବାକୁ ପୋପ୍‌ ଫ୍ରାନ୍ସିସ୍‌ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ବର୍ଷକ ତଳେ ଚୀନ୍‌ର ହୁବେଇ ପ୍ରଦେଶର ଉହାନ ସହରରେ ଦେଖାଦେଇଥିବା ଘାତକ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ ଅଦ୍ୟାବଧି ବିଶ୍ବରେ ୧୭ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଛି। ଏଭଳି ଟିକାକରଣ ଦ୍ବାରା ଆଗାମୀ ୨୦୨୧ ମସିହାରେ ସେଥିରୁ କିଛି ନିସ୍ତାର ମିଳିବ ବୋଲି ବିଶ୍ବବାସୀ ଆଶା ରଖିଛନ୍ତି। ଟିକାକରଣ ପାଇଁ ଫ୍ରାନ୍ସରେ ଶୁକ୍ରବାର ଉପଲବ୍ଧ ଟିକା ପହଞ୍ଚିବା ପୂର୍ବରୁ ସେଠାରେ ବ୍ରିଟେନ୍‌ରୁ ଫେରିଥିବା ଜଣେ ବିମାନଯାତ୍ରୀଙ୍କ ଠାରେ ପ୍ରଥମ କରି ନୂତନ ପ୍ରଜାତିର କରୋନାଭୂତାଣୁ ଠାବ ହୋଇଥିବା ପ୍ୟାରିସ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ବର ସଂଖ୍ୟାଧିକ କୋଭିଡ୍‌ ମୃତ୍ୟୁ ଦେଖିଥିବା ଫ୍ରାନ୍ସରେ ଜାରି ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ଆଂଶିକ ଲକ୍‌ଡାଉନ୍‌ କିଛି ମାତ୍ରାରେ ସଂକ୍ରମଣ ରୋକିଥିବା ବେଳେ ଗତ ଦୁଇ ସପ୍ତାହ ହେଲା ସେଠାରେ ସଂକ୍ରମଣ ହାର ବଢ଼ିବା ଚିନ୍ତାର କାରଣ ହୋଇଛି। ୨୦ରୁ ଅଧିକ ଦେଶରେ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ପହଞ୍ଚିସାରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର