ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ଶୁକ୍ରବାର ଦିନ ୧୫୦ କୋଟି ଟପିଯାଇଛି। ଟିକାକରଣ କ୍ଷେତ୍ରରେ ଭାରତ ଏଭଳି ବଡ଼ ସଫଳତା ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ଶୁକ୍ରବାର ଅପରାହ୍ନ ୨.୨୦ ସୁଦ୍ଧା ଦେଶରେ ମୋଟ୍ ୧,୫୦,୧୭,୨୩,୯୧୧ କୋଟି ଡୋଜ୍ ଦିଆଯାଇଛି। ଟିକାକରଣ କ୍ଷେତ୍ରରେ ଭାରତର ଏହି ସଫଳତାକୁ ପ୍ରଧାନମନ୍ତ୍ରୀ ‘ଐତିହାସିକ ମାଇଲଖୁଣ୍ଟ’ କହିଛନ୍ତି ଏବଂ ଦେଶର ବୈଜ୍ଞାନିକ ଓ ଟିକା ନିର୍ମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଦେଶରେ ଚଳିତମାସ ଜାନୁଆରି ୩ ତାରିଖରୁ ୧୫-୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଏଥିସହ ଚଳିତ ବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହରେ ଦେଶରେ ଟିକାକରଣ ୧୫୦ କୋଟି ଟପିଯାଇଛି। କୋଲକାତାର ଚିତ୍ତରଂଜନ ଜାତୀୟ କର୍କଟ ଅନୁଷ୍ଠାନର ଉଦ୍ଘାଟନ ଉତ୍ସବ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।