୩୬,୧୩,୯୧୧ ଜଣଙ୍କୁ କୋଭିଡ୍‌ ଟିକାର ଦ୍ବିତୀୟ ଡୋଜ୍‌

ପ୍ରଥମ ଡୋଜ୍‌ ନେଇଛନ୍ତି ୧,୧୮,୦୩,୩୯୧

ନୂଆଦିଲ୍ଲୀ : ଜୁଲାଇ ୨୬, ୨୦୨୧ ପର୍ଯ୍ୟନ୍ତ ଓଡ଼ିଶାରେ ଏକ କୋଟି ୧୮ ଲକ୍ଷ ୩ ହଜାର ୩୯୧ ଜଣ କୋଭିଡ ଟିକାର ପ୍ରଥମ ଡୋଜ ଏବଂ ୩୬ ଲକ୍ଷ ୧୩ ହଜାର ୯୧୧ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଆଜି ଲୋକସଭାରେ ବିଜେପି ସାଂସଦ ଜୁଏଲ ଓରାମ ଓ ବସନ୍ତ କୁମାର ପଣ୍ଡାଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରଭିନ ପାୱାର।

କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନା ଅନୁସାରେ ଓଡ଼ିଶାର ୩୦ଟି ଜିଲ୍ଲାରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଦିଆଯାଉଛି। ଜୁଲାଇ ୨୬, ୨୦୨୧ ପର୍ଯ୍ୟନ୍ତ ଟିକାକରଣ ସଂପର୍କରେ ହାସଲ କରାଯାଇଥିବା ତଥ୍ୟ ଅନୁସାରେ ଗଂଜାମ ଜିଲ୍ଲାରେ ସର୍ବାଧିକ ୧୩ ଲକ୍ଷ ୯୯ ହଜାର ୪୨୪ ଜଣ ପ୍ରଥମ ଡୋଜ୍‌ ନେଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୩ ଲକ୍ଷ ୧୮ ହଜାର ୧୭ ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୭୯ ହଜାର ୩୬୧ ଜଣ ପ୍ରଥମ ଡୋଜ ନେଇଥିବାବେଳେ ବୌଦ୍ଧରେ କୋଭିଡ ଟିକାର ପ୍ରଥମ ଡୋଜ୍‌ ୯୭ ହଜାର ୪୪୩ ଜଣ ନେଇଥିବା ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି। ଅପରପକ୍ଷେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭ ଲକ୍ଷ ୯୫ ହଜାର ୪୭୮ ଜଣ ଦ୍ବିତୀୟ ଡୋଜ ନେଇଛନ୍ତି। ଦ୍ବିତୀୟ ଡୋଜ୍‌ ନେବାରେ ଜିଲ୍ଲାୱାରି ତାଲିକାର ଗଞ୍ଜାମ ଦ୍ବିତୀୟ ସ୍ଥାନରେ ରହିଛି। ଗଂଜାମ ଜିଲ୍ଲାରେ ୩ ଲକ୍ଷ ୩୬ ହଜାର ୫୪୧ ଜଣ କୋଭିଡ଼ ଟିକାର ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୧୯ ହଜାର ୨୭୩ ଜଣ ଦ୍ବିତୀୟ ଡୋଜ ନେଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ୨୪ ହଜାର ୨୫୧ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।

ଓଡ଼ିଶାର ୩୦ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ଦ୍ବିତୀୟ ଡୋଜ୍‌ ନେବା ଲୋକଙ୍କ ସଂଖ୍ୟା ଲକ୍ଷେ ପହଞ୍ଚି ପାରିନଥିବା ପ୍ରଦତ୍ତ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତରରେ ୨୬ ଜୁଲାଇ ୨୦୨୧ ସୁଦ୍ଧା ରାଜ୍ୟକୁ ସମୁଦାୟ ୧.୫୫ କୋଟି ଟିକା ଯୋଗାଇ ଦିଆଯାଇଛି। ଏଥିରେ କୋଭିସିଲ୍ଡ ୧.୩୪ କୋଟି ଓ କୋଭାକ୍‌ସିନ ୨୧.୧୩ ଲକ୍ଷ ଡୋଜ୍‌ ରହିଛି। ଏତଦ୍‌ ବ୍ୟତୀତ କୋୱିନ ପୋର୍ଟାଲରେ ପ୍ରାଇଭେଟ ହସ୍‌ପିଟାଲମାନଙ୍କ ଦ୍ବାରା ୪୨୦୦ ଡୋଜ ସ୍ପୁଟନିକ୍‌- ଭି ସଂଗ୍ରହ କରାଯାଇଥିବା ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର