‘କୋଭିଡ୍‌ ଟିକା ଅଭାବ ସମସ୍ୟା ନୁହେଁ, ସମସ୍ୟା ହେଉଛି ସୁଚିନ୍ତିତ ଯୋଜନାର ଅଭାବ’: କେନ୍ଦ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ଗତ ୧୧ ତାରିଖ ଠାରୁ ତମାମ୍‌ ଦେଶରେ ‘ଟିକା ଉତ୍ସବ’ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ‘ଟିକା ଉତ୍ସବ’ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ଥାନରେ ଟିକାର ଅଭାବ ରହୁଥିବା ନେଇ ବହୁ ଅଭିଯୋଗ ଆସିବାରେ ଲାଗିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଟିକାର ଅଭାବ ନୁହେଁ ବରଂ ଏ କ୍ଷେତ୍ରରେ ସୁଚିନ୍ତିତ ଓ ଉତ୍ତମ ଯୋଜନାର ଅଭାବ ଏକ ସମସ୍ୟା ରୂପେ ଦେଖାଦେଇଛି।

ଏସଂପର୍କରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ଭୂଷଣ କହିଛନ୍ତି ଯେ ଆଜି (ମଙ୍ଗଳବାର) ସକାଳ ୧୧ଟା ପର୍ଯ୍ୟନ୍ତର ତଥ୍ୟ ଅନୁଯାୟୀ, ଦେଶର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ଅବ୍ୟବହୃତ ଟିକାର ସଂଖ୍ୟା ଥିଲା ୧,୬୭,୨୦,୦୦୦ରୁ ଅଧିକ। ଚଳିତ ଅପ୍ରେଲ ମାସ ଶେଷ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨,୦୧,୨୨,୯୬୦ ଡୋଜ ଟିକା ଯୋଗାଇ ଦିଆଯିବ। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଟିକା ଡୋଜର ଅଭାବ ନୁହେଁ ବରଂ ଉନ୍ନତ ଓ ସୁଚିନ୍ତିତ ଯୋଜନା ହିଁ ହେଉଛି ପ୍ରସଙ୍ଗ।

ଏହି ଅବସରରେ ସେ ସୂଚନା ପ୍ରଦାନ କରି କହିଛନ୍ତି ଯେ ଦେଶରେ ମଙ୍ଗଳବାର ଦିନ ୧,୬୧,୭୩୬ଟି ନୂତନ କୋଭିଡ୍‌-୧୯ ମାମଲା ରିପୋର୍ଟ ହୋଇଛି। ଯାହା ଦେଶର ସମୁଦାୟ କୋଭିଡ୍‌-୧୯ ମାମଲା ସଂଖ୍ୟାକୁ ୧,୩୬,୮୯,୪୫୩କୁ ନେଇଛି। ସେହିପରି ମୃତ୍ୟୁସଂଖ୍ୟା ୮୭୯ ବୃଦ୍ଧି ପାଇ ୧,୭୧,୦୫୮ରେ ପହଞ୍ଚିଛ। ସକ୍ରିୟ ମାମଲା ୧୨,୬୪,୬୯୮ରେ ଥିବାବେଳେ ୧,୨୨,୫୩,୬୯୭ ରୋଗୀ ଏପର୍ଯ୍ୟନ୍ତ କୋଭିଡ୍‌ରୁ ଆରୋଗ୍ୟଲାଭ କରି ଘରକୁ ଫେରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଯଦି ଆମେ ନୂଆ କରୋନାଭାଇରସ୍‌ ମାମଲାକୁ ଦେଖିବା, ତେବେ ଆମେ ଦେଖିବା ଯେ ପୂର୍ବର ସର୍ବୋଚ୍ଚ ବୃଦ୍ଧି ପୂର୍ବରୁ ଅତିକ୍ରମ ହୋଇସାରିଛି ଏବଂ ଧାରା ଉପରକୁ ଯାଉଛି। ଯାହାକି ଚିନ୍ତାର କାରଣ।

ସମ୍ବନ୍ଧିତ ଖବର