ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ କମୁଥିଲେ ମଧ୍ୟ ଏହାକୁ ମୂଳପୋଛ କରିବା ପାଇଁ ସମସ୍ତଙ୍କ ନଜର କରୋନା ଟିକା ଉପରେ ରହିଛି। ଫାଇଜର ଏବଂ ମଡେର୍ଣ୍ଣା ଦ୍ବାରା ପ୍ରସ୍ତୁତ କରୋନା ଟିକାର ପରୀକ୍ଷଣ ସଫଳ ହୋଇଥିବା ନେଇ କମ୍ପାନି ଦ୍ବୟ ଦାବି କରିଥିବା ବେଳେ ଭାରତରେ ଏହାକୁ ଉପଲବ୍ଧ କରାଇବା ଅସମ୍ଭବ ବୋଲି କହିଛନ୍ତି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମହାମାରୀ ଏବଂ ସଂକ୍ରାମକ ରୋଗର ପୂର୍ବତନ ମୁଖ୍ୟ ଡା. ଲଲିତ କାନ୍ତ।
/sambad/media/post_attachments/dd5646b808b269fa776ddb605e7599d39e57505e900ac364144ed28883495378.jpg)
ତାଙ୍କ କହିବା ମୁତାବକ, ଫାଇଜର ଏବଂ ମଡେର୍ଣ୍ଣା ଟିକା ବିଯୁକ୍ତ ୭୦ଡିଗ୍ରି ସେଲସିୟସର ଶୀତଳ ଭଣ୍ଡାର ଆବଶ୍ୟକ କରେ। କିନ୍ତୁ ଭାରତରେ ସେ ସୁବିଧା ଉପଲବ୍ଧ ନାହିଁ। ଆମ ପାଖରେ ଏହି ଦୁଇଟି ଟିକାର ରଖିବା ପାଇଁ ଶୀତଳ ଭଣ୍ଡାରର ସୁବିଧା ନାହିଁ। ଫାଇଜର ଟିକାକୁ ୧୦ଦିନ ପର୍ଯ୍ୟନ୍ତ ରଖିବା ପାଇଁ -୭୦ଡିଗ୍ରୀ ସେଲସିୟସର ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ଭାରତରେ ଏହି ଦୁଇଟି ଟିକାର ଖୋରାକ ଆଣି ରଖିବା ସମ୍ଭବ ନୁହେଁ। ତେବେ କିଛି ଟିକା ଏଭଳି ରହିଛି, ଯାହାକୁ ‘-୨ଡିଗ୍ରି’ ସେଲସିୟସ ଏବଂ ‘-୮ଡିଗ୍ରି’ ସେଲସିୟସରେ ରଖାଯାଇ ପାରିବ। ଭାରତ ବାୟୋଟେକ୍, ଜାଇଡସ୍ କ୍ୟାଡିଲା ଏବଂ ସେରମ୍ ଇନଷ୍ଟଚ୍ୟୁଟ ତିଆରି କରିବାକୁ ଥିବା ଟିକା ଭାରତରେ ଥିବା ଶୀତଳ ଭଣ୍ଡାରରେ ରଖାଯାଇ ପାରିବ ବୋଲି ଜଣା ପଡ଼ିଥିବା ବେଳେ ଏହାର ଡୋଜ ଦିଆଯିବା ପୂୂର୍ବରୁ ଏ ନେଇ ପରୀକ୍ଷା କରାଯିବ ବୋଲି କହିଛନ୍ତି ଡା. ଲଲିତ କାନ୍ତ।