ଜାନୁଆରି ପ୍ରଥମଭାଗ ସୁଦ୍ଧା ଭାରତରେ କରୋନା ଟିକାକୁ ଅନୁମତି ମିଳିବା ସମ୍ଭାବନା : ଏମ୍ସ ମୁଖ୍ୟ

ନୂଆଦିଲ୍ଲୀ : କରୋନା ଟିକାକୁ ସାରା ଦେଶର ଲୋକେ ଅପେକ୍ଷା କରିଥିବାବେଳେ ଏମ୍ସ ନିର୍ଦ୍ଦେଶକ ଡଃ. ରଣଦୀପ ଗୁଲେରିଆ ଆଜି କହିଛନ୍ତି ଯେ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା  ଟିକା ଆସିଯିବ ବୋଲି ସେ ଆଶା କରୁଛନ୍ତି ।

ସେ କହିଛନ୍ତି ଯେ ଭାରତରେ ଟିକା ଗୁଡ଼ିକର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଏହି ଟିକାଗୁଡ଼ିକୁ  ଲୋକମାନଙ୍କୁ ଦେବା ପାଇଁ ଚଳିତ ମାସ ଶେଷ କିମ୍ବା ଜାନୁଆରି ପ୍ରଥମ ଭାଗ ସୁଦ୍ଧା ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କଠାରୁ ଜରୁରୀକାଳୀନ ଭିତ୍ତିରେ ଅନୁମତି ମିଳିଯିବ ।

ସେ କହିଛନ୍ତି ଯେ ଭାରତରେ ପରୀକ୍ଷଣ ଚାଲିଥିବା ଟିକାଗୁଡ଼ିକ ବେଶ ନିରାପଦ ବୋଲି ପ୍ରମାଣ ମିଳିସାରିଛି । ଭାରତରେ ପ୍ରାୟ ୭୦-୮୦ ହଜାର ସ୍ବେଚ୍ଛାସେବୀଙ୍କୁ ଏସବୁ ଟିକା ଦିଆଯାଇଛି  ଓ ସେଗୁଡ଼ିକରେ ଅତି କମ ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ତଥ୍ୟ ଆଧାରରେ କୁହାଯାଇପାରେ ଯେ ଏସବୁ ଟିକା ନିରାପଦ ।

ସୂଚନାଯୋଗ୍ୟ ଯେ ଭାରତରେ ଏବେ ଚାରିଟି ଟିକାର ପରୀକ୍ଷଣ ଚାଲିଛି । ସେଗୁ଼ଡ଼ିକ ହେଉଛି ଭାରତ ବାୟୋଟେକର କୋଭାକ୍ସିନ, କାର୍ଡିଲାର ଜାଇକୋଭ-ଡି, ଅକ୍ସଫୋର୍ଡର କୋଭିସିଲ୍ଡ ଓ ଋଷିଆର ସ୍ପୁଟନିକ ଟିକା । ଏଗୁଡ଼ିକ ମଧ୍ୟରୁ କୋଭାକ୍ସିନ ଓ କୋଭିସିଲ୍ଡର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର