ପଶୁମାନେ ବି ନେବେ କୋଭିଡ୍ ଟିକା

ନୂଆଦିଲ୍ଲୀ : ମଣିଷମାନଙ୍କ କୋଭିଡ ଟିକା ପରେ ଏବେ ପଶୁମାନଙ୍କ କୋଭିଡ୍ ଟିକା ଉପଲବ୍ଧ ହେଉଛି । ଗତ ଗୁରୁବାରଦିନ ପଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଦେଶର ପ୍ରଥମ କୋଭିଡ୍ ଟିକା ଆନକୋଭାକ୍ସକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଲଞ୍ଚ୍ କରିଛନ୍ତି ।

ଏହି ଟିକାକୁ ହରିୟାଣାସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧିନସ୍ଥ ଜାତୀୟ ଅଶ୍ବ ଗବେଷଣା କେନ୍ଦ୍ର ପକ୍ଷରୁ ବିକଶିତ କରାଯାଇଛି । ଏହି ଟିକା ପଶୁମାନଙ୍କୁ ଆକ୍ରାନ୍ତ କରୁଥିବା ଉଭୟ ଡେଲଟା ଓ ଓମିକ୍ରନ ଭାରିଆଣ୍ଟକୁ ଲୋପ କରିବାକୁ ସକ୍ଷମ । ଏହା କୁକୁର, ସିଂହ, ଚିତା,ଠେକୁଆ,ମୂଷା ଆଦି ପଶୁମାନଙ୍କ ପାଇଁ ସୁରକ୍ଷିତ ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ କୁକୁରମାନଙ୍କ ଆଣ୍ଟିବଡ଼ି ପରୀକ୍ଷା କରିବା ପାଇଁ ସୁରା ଏଲିସା କିଟ୍ ନାମକ ଏକ ଟେଷ୍ଟିଂ କିଟ ପ୍ରସ୍ତୁତ କରାଯାଇଛି । ସମଗ୍ର ବିଶ୍ବର ପ୍ରଥମ ଥର ପାଇଁ ଏପରି ଏକ ଟେଷ୍ଟି କିଟ୍ ପ୍ରସ୍ତୁତ କରାଯାଇଛି ।  ଏହାକୁ ଅନ୍ୟ କେତେକ ଗୃହପାଳିତ ପଶୁଙ୍କ ଶରୀରରେ ବ୍ୟବହାର କରାଯାଇପାରିବ । ଏହାର ପ୍ୟାଟେଣ୍ଟ ପାଇଁ ଆବେଦନ କରାଯାଇଛି ବୋଲି ଆଇସିଏଆର ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଭାରତୀୟ କୃଷି ଗବେଷଣା ପରିଷଦ କୃଷି ଓ ତତସମ୍ପର୍କିତ ଗବେଷଣା ପାଇଁ କାର୍ଯ୍ୟକରିଥାଏ । ଓଡ଼ିଆ କୃଷି ବୈଜ୍ଞାନିକ ତ୍ରିଲୋଚନ ମହାପାତ୍ର ଏହାର ମହାନିର୍ଦ୍ଦେଶକ ଅଛନ୍ତି ।

ସମ୍ବନ୍ଧିତ ଖବର