ଆମେରିକାର ଅଧା ଲୋକ କୋଭିଡ୍ ଟିକା ପାଇଁ ଆଗ୍ରହୀ

ଅଷ୍ଟ୍ରେଲିଆରେ ଆମେରିକୀୟ ଟିକାର ପରୀକ୍ଷଣ

ୱାସିଂଟନ : ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ମନଧ୍ୟାନ ଦେଇ ଲାଗିପଡି଼ଥିବା ଚିକିତ୍ସା ବିଜ୍ଞାନୀମାନେ ନିକଟ ଭବିଷ୍ୟତରେ ଯଦି କୌଣସି ଟିକା ଉଦ୍‌ଭାବନ କରନ୍ତି, ତେବେ କେବଳ ୫୦ ପ୍ରତିଶତ ଆମେରିକୀୟ ହିଁ ତାହା ନେବାକୁ ଆଗ୍ରହୀ ବୋଲି ଏକ ଜନମତ ସବେର୍କ୍ଷଣରୁ ଜଣାଯାଇଛି। ସେମାନଙ୍କ ଭିତରୁ ଅଧିକାଂଶ କେବଳ ନିଜର ପରିବାରକୁ ସୁରକ୍ଷା ଦେବା ପାଇଁ ଏମିତି ମନ କରିବେ ବୋଲି କହିଛନ୍ତି। କାରଣ ଟିକାଟିଏ ନନେଲେ ଜୀବନରେ ସ୍ବାଭାବିକତା ଫେରିବନି ବୋଲି ସେମାନେ ଅନୁଭବ କରୁଥିବା କହିଛନ୍ତି। ଅପରପକ୍ଷେ, ଆସୋସିଏଟେଡ୍ ପ୍ରେସ୍‌ ଓ ଏନ୍ଓଆର୍‌ସି ଦ୍ବାରା ପରିଚାଳିିତ ଏହି ସବେର୍କ୍ଷଣରେ ସାମିଲ ହୋଇଥିବା ନାଗରିକମାନଙ୍କ ମଧ୍ୟରୁ ୩୧ ପ୍ରତିଶତ କୋଭିଡ୍ ଟିକା ନେବାକୁ ନିଶ୍ଚିତ ନଥିବା ମତ ଦେଇଛନ୍ତି। ସେହିପରି ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ହିଁ ଉପଯୁକ୍ତ କୋଭିଡ୍ ଟିକା ନେବାକୁ ଇଚ୍ଛା କରିଥିବା ବେଳେ ୪୦ ପ୍ରତିଶତ ଯୁବଗୋଷ୍ଠୀ ଅନୁରୂପ ଇଚ୍ଛା ପ୍ରକଟ କରିଛନ୍ତି। ତେବେ ସେପରି ଟିକା ନେବାକୁ ୨୦ ପ୍ରତିଶତ ନାଗରିକ ସିଧାସଳଖ ମନା କରିଦେଇଛନ୍ତି। ସେମାନଙ୍କ ଭିତରୁ ୭୦ ପ୍ରତିଶତ ହିଁ ସେଭଳି ଟିକାର ନିରାପତ୍ତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି। କାରଣ ମାତ୍ର ବର୍ଷେ କି ଦି’ବର୍ଷ ପରି ଅଳ୍ପ ସମୟ ଭିତରେ ଟିକାଟିଏ ବଜାରକୁ ଆସିଲେ ହୁଏତ ବିକ୍ଷିପ୍ତ ଭାବେ ତାହାର ପୁଙ୍କାନୁପୁଙ୍ଖ ପରୀକ୍ଷା ନିରୀକ୍ଷା ହୋଇପାରିନଥିବ ବୋଲି ଅନେକ ସନ୍ଦିହାନ ଅଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ଆମେରିକାରେ କୋଭିଡ୍ ମୃତକଙ୍କ ମଧ୍ୟରେ କୃଷ୍ଣକାୟଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଫ୍ରିକୀୟ ଆମେରିକୀୟଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ଏବଂ ୩୭ ପ୍ରତିଶତ ଲାଟିନ୍ ଆମେରିକୀୟ ଟିକା ନେବା ପାଇଁ ଇଚ୍ଛୁକ ଥିବା ଜଣାଯାଇଛି। ତେବେ ୫୬ ପ୍ରତିଶତ ଶ୍ବେତକାୟ ହିଁ ଟିକା ପାଇଁ ଆଗ୍ରହୀ ରହିଛନ୍ତି। ଆମେରିକାର ସାଧାରଣ ଲୋକଙ୍କ ଏଭଳି ଚିନ୍ତାଧାରା ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ବିବ୍ରତ କରିଛି।

ଅଷ୍ଟ୍ରେଲିଆରେ ଆମେରିକୀୟ ଟିକାର ପରୀକ୍ଷଣ
କାନ୍‌ବେରା : ଚଳିତ ବର୍ଷ ଶେଷ ସୁଦ୍ଧା ଏକ ପ୍ରମାଣସିଦ୍ଧ କୋଭିଡ୍–୧୯ ଟିକାର ଉପଲବ୍ଧି କରାଇବା ଲକ୍ଷ୍ୟରେ ଆମେରିକୀୟ ଔଷଧ କମ୍ପାନି ନୋଭାଭାକ୍ସ ମଙ୍ଗଳବାର ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଦେହରେ ଏକ ସମ୍ଭାବ୍ୟ ଟିକାର ନୈଦାନିକ ପରୀକ୍ଷଣ ଆରମ୍ଭ କରିଛିା ପ୍ରଥମ ପର୍ଯ୍ୟାୟରେ ମୋଟ ୧୩୧ ଜଣ ସ୍ବେଚ୍ଛାସେବୀଙ୍କୁ ପ୍ରୟୋଗ କରାଯିବାକୁ ଥିବା ଏହି ଟିକାର କାର୍ଯ୍ୟକାରିତା ଏବଂ ନିରାପତ୍ତାକୁ ନିରୀକ୍ଷଣ କରାଯାଉଛି ବୋଲି କମ୍ପାନିର ଗବେଷଣା ମୁଖ୍ୟ ଡା. ଗ୍ରେଗୋରି ଗ୍ଲେନ୍ କହିଛନ୍ତି।

ପ୍ରାକ୍‌ନୈଦାନିକ ପରୀକ୍ଷଣ ସ୍ବରୂପ ଏନ୍‌ଭିଏକ୍ସ-କୋଭ୍-୨୩୭୩ ନାମକ ଏହି ଟିକାର ପଶୁଙ୍କ ଠାରେ ପ୍ରୟୋଗ ବେଳେ ଏହା ସଫଳ ସାବ୍ୟସ୍ତ ହେବା ସହ ମନୁଷ୍ୟ ଶରୀରରେ ସ୍ବଳ୍ପ ମାତ୍ରାର ଉପଯୋଗ କରିବା ଲାଗି ଅନୁଶୀଳନ ମିଳିଥିଲାା ତେବେ ମଙ୍ଗଳବାର ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଓ ବ୍ରିସ୍‌ବେନ୍ରେ ପ୍ରଥମେ ୬ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ଆରମ୍ଭ ହୋଇଥିବା ଏହି ଟିକାର ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣର ଫଳାଫଳ ଜୁଲାଇ ସୁଦ୍ଧା ମିଳିପାରିବ ବୋଲି ଆଶା କରାଯାଉଛିା ଏହା ପରେ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ବିଭିନ୍ନ ଦେଶର ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛିା ଚଳିତବର୍ଷ ଅତି କମ୍ରେ ଏକକୋଟି ମାତ୍ରା ଏବଂ ଆଗାମୀ ବର୍ଷ ୧୫୦ କୋଟି ମାତ୍ରାର ଏନ୍ଭିଏକ୍ସ–କୋଭ୍–୨୩୭୩ ଟିକା ପ୍ରସ୍ତୁତ କରିବା ଲାଗି ନୋଭାଭାକ୍ସ ଲକ୍ଷ୍ୟ ରଖିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର