ଆଗକୁ କୋଭିଡ୍‌ ଋତୁକାଳୀନ ରୋଗ ପାଲଟିବ!

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ପୃଥିବୀରୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଇଥିବା ଏକମାତ୍ର ସଂକ୍ରାମକ ରୋଗ ହେଉଛି ବସନ୍ତ। ଭୂତାଣୁ ଜନିତ ଏହି ରୋଗ ପାଇଁ କୌଣସି ଟିକା ବାହାରିବାର ୨୦୦ ବର୍ଷ ପରେ ହିଁ ଏହା ଏପରି ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଅପରପକ୍ଷେ, କୋଭିଡ୍‌-୧୯ ହେଉଛି ମାତ୍ର ଦେଢ଼ ବର୍ଷର ଅନ୍ୟ ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ। ତେବେ କୋଭିଡ୍‌-୧୯ର ଆବିର୍ଭାବ ତଥା ଅବସ୍ଥିତିକୁ ନିର୍ଣ୍ଣୟ କରୁଥିବା ଉକ୍ତ ଭୂତାଣୁର ରୋଗପ୍ରତିରୋଧକତା ଲକ୍ଷଣରୁ ଅଭିନବ କରୋନାଭୂତାଣୁର ସଂକ୍ରମଣ ନିଜର ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ବିଶେଷଜ୍ଞମାନେ ହୃଦୟଙ୍ଗମ କରୁଛନ୍ତି। ପୂର୍ବରୁ ସଂଘଟିତ ମହାମାରୀଗୁଡ଼ିକର ଢଙ୍ଗ ବା ପ୍ରକ୍ରିୟା ସହ କୋଭିଡ୍‌-୧୯କୁ ତୁଳନା କରି ଉକ୍ତ ମହାମାରୀର ଅନ୍ତ ଘଟିବ ଏବଂ ତାହା ଏକ ଋତୁକାଳୀନ ରୋଗ ଭାବେ କେବଳ ତିଷ୍ଠି ରହିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

ମହାମାରୀ କୋଭିଡ୍‌-୧୯ର ଚୂଡ଼ାନ୍ତ ଫଳାଫଳ ନିର୍ଣ୍ଣୟ ପାଇଁ ସେମାନେ ଏକ ପ୍ରତିରୂପ ପରିକଳ୍ପନା କରିଛନ୍ତି ଯାହାର ସଫଳତା ବିଶ୍ବବ୍ୟାପୀ ଗଣଟିକାକରଣ ଓ ବିଭିନ୍ନ ସ୍ଥାନରେ ସଂକ୍ରମଣ ରୋକିବା ପାଇଁ ଗୃହୀତ ବିଭିନ୍ନ ବ୍ୟବସ୍ଥା ପରି ଗୁରୁତ୍ବପୂର୍ଣ୍ଣ ଉପାଦାନଗୁଡ଼ିକ ଉପରେ ନିର୍ଭର କରେ। କରୋନାଭୂତାଣୁର ରୋଗପ୍ରତିରୋଧକତା ଓ ସଂକ୍ରାମକତା ସମ୍ପର୍କିତ ଉପଲବ୍‌ଧ ତଥ୍ୟକୁ ଭିତ୍ତି କରି ବିଶେଷଜ୍ଞମାନଙ୍କ ଆକଳନ ହେଲା, ସଂକ୍ରମଣରେ ବାଧା ଉପୁଜାଉଥିବା ରୋଗପ୍ରତିରୋଧକତା ଯଦିଓ ଦ୍ରୁତ ବେଗରେ ଫିକା ହୋଇ ଆସିଥାଏ, ତଥାପି ରୋଗର ପ୍ରାଦୁର୍ଭାବକୁ କମାଉଥିବା ପ୍ରତିରୋଧକତା ଦୀର୍ଘସ୍ଥାୟୀ ହୋଇ ରହିଥାଏ। ସୁତରାଂ ମହାମାରୀର ଅନ୍ତ ପହଞ୍ଚିଲା ପରେ ସାର୍ସ-କୋଭ୍‌-୨ ସାଧାରଣ ଥଣ୍ଡା ସର୍ଦ୍ଦି ରୋଗଠାରୁ ଅଧିକ କ୍ଷତି କରିପାରିବ ନାହିଁ।

ପୁରୁଣା ମହାମାରୀଗୁଡ଼ିକର ଉପଦ୍ରବକୁ ତର୍ଜମା କରି ସେମାନେ ଏପରି ନିର୍ଯାସରେ ପହଞ୍ଚି ପାରିଛନ୍ତି। ୧୯୧୮ ମସିହାର ସ୍ପେନୀୟ ଫ୍ଲୁ ଦୁଇ ବର୍ଷ ପରେ ହିଁ ଅନ୍ତ ଦେଖିଥିଲା। ସେହିପରି ୧୯୫୨ ମସିହାର ଏଚ୍‌୨ଏନ୍‌୨ ମହାମାରୀ, ୧୯୬୮ ମସିହାର ଏଚ୍‌୩ଏନ୍‌୨ ମହାମାରୀ ଓ ୨୦୦୯ ମସିହାର ଏଚ୍‌୧ଏନ୧ ମହାମାରୀ ମଧ୍ୟ ଅନୁରୂପ ଭାବେ ଶେଷ ହୋଇଥିଲା । ଏହି ସବୁ ମହାମାରୀ ପାଇଁ କୌଣସି ଟିକାର ଉପଯୋଗ କରାଯାଇନଥିଲା। ଅପରପକ୍ଷେ, କୋଭିଡ୍‌-୧୯ର ଅନ୍ତ ପାଇଁ ଗୋଷ୍ଠୀ ରୋଗପ୍ରତିଧକତା(ହର୍ଡ ଇମ୍ୟୁନିଟି) ପରି କାଳ୍ପନିକ ଉପଲବ୍‌ଧିର ଅବତାରଣା କରାଯାଉଥିବା ବେଳେ ଉପରୋକ୍ତ ମହାମାରୀ ବେଳେ କେବେ ଏପରି ହର୍ଡ ଇମ୍ୟୁନିଟି ହାସଲ ହୋଇନଥିଲା।

ସମ୍ବନ୍ଧିତ ଖବର