ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକତା ପୂରଣ କର; କରୋନାକୁ ନେଇ ହେଉଥିବା ଗୁଜବ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର: କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ କରୋନା ଭାଇରସ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ସହ ଏହାର ମୁକାବିଲା ପାଇଁ ସମଗ୍ର ଦେଶରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ୩ ସପ୍ତାହ ପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ତେବେ, ଏହି ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ପ୍ରବାସୀ ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦୃଷ୍ଟିଗୋଚର ହେବା ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍‌ କୋର୍ଟ।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡ଼େ ଓ ଜଷ୍ଟିସ୍‌ ଏଲ୍‌ ଏନ୍‌ ରାଓଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ, ପ୍ରବାସୀ ଶ୍ରମକମାନେ ଯେପରି ସେମାନଙ୍କର ସର୍ବନିମ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ନହୁଅନ୍ତି, ତାହାକୁ ନଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

News India

ଏଥିସହ କରୋନା ଭାଇରସ ବା କୋଭିଡ୍‌-୧୯ ସଂପର୍କରେ ଅନେକ ମିଥ୍ୟା ଗୁଜବ ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଥିବାରୁ ଏହାକୁ ନେଇ ମଧ୍ୟ ନିଜର ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍‌ କୋର୍ଟ। ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଡ଼େ ଓ ଜଷ୍ଟିସ୍‌ ଏଲ୍‌ ଏନ୍‌ ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି, କରୋନା ସଂପର୍କିତ ମିଥ୍ୟା ଖବର ସବୁକୁ ଠାବ କରିବା ପାଇଁ ବିଶେଷଜ୍ଞମାନଙ୍କୁ ନେଇ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯାଉ। ଆଉ ଯେଉଁମାନେ କରୋନା ସଂପର୍କରେ ମିଥ୍ୟା ଖବର ପ୍ରଚାର ଓ ପ୍ରସାର କରି ସାଧାରଣରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କରୋନା ସଂପର୍କିତ ମିଥ୍ୟା ଖବରକୁ ରୋକିବା ସହ କରୋନା ସଂପର୍କିତ ତଥ୍ୟ ସଂପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ଦିଗରେ ଯାହାସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସବୁ କୋର୍ଟଙ୍କୁ ଜଣାଇ ଥିଲେ।

ସମ୍ବନ୍ଧିତ ଖବର