ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ସଂସଦକୁ ଦେଇଥିବା ସୂଚନା ଅନୁସାରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ମୋଟ ପ୍ରାୟ ୯,୭୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଟିକା ସଂଗ୍ରହ କରିବାରେ କୌଣସି ବିଳମ୍ବ ହୋଇ ନାହିଁ ଏବଂ ଅଗଷ୍ଟ ଓ ଡିସେମ୍ବର ଭିତରେ ୧୩୫ କୋଟି ଡୋଜ୍ ଟିକା ଦେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ମଧ୍ୟ ଯଥାସମୟରେ ହାସଲ କରାଯିବ ବୋଲି ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ତୃଣମୂଳ ସାଂସଦ ମାଲା ରାୟ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।
ପାୱାର କହିଲେ ଯେ, ଅଗଷ୍ଟ ୨୦୨୧ରୁ ଡିସେମ୍ବର ୨୦୨୧ ଭିତରେ ମୋଟ ୧୩୫ କୋଟି ଡୋଜ୍ ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଦେଶୀ ଟିକା ନିର୍ମାତାଙ୍କଠାରୁ ଟିକା କ୍ରୟ କରିବା ପାଇଁ ବରାଦ ଦେବାରେ କୌଣସି ବିଳମ୍ବ ହୋଇନାହିଁ। ବରାଦ ଦିଆଯାଇଥିବା ଟିକା ପାଇଁ ଅଗ୍ରୀମ ଅର୍ଥ ମଧ୍ୟ ପଇଠ କରାଯାଇଛି। ତେବେ ଟିକାକରଣ ଶେଷ ହେବା ପାଇଁ କୌଣସି ନିର୍ଦ୍ଦଷ୍ଟ ସମୟସୀମା ନାହିଁ ଏବଂ ଆସନ୍ତା ଡିସେମ୍ବର ସୁଦ୍ଧା ୧୮ରୁ ଊର୍ଦ୍ଧ୍ବ ବୟସ୍କ ସମସ୍ତ ବ୍ୟକ୍ତି ଟିକା ନେଇ ସାରିଥିବା ଆଶା କରାଯାଉଛି ବୋଲି ପ୍ରଶ୍ନର ଉତ୍ତର ଦେଇ ପାୱାର କହିଥିଲେ। ଏ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୪୩.୯ କୋଟି ଡୋଜ୍ ଟିକା ଯୋଗାଣ ହୋଇଛି ଏବଂ ଆଉ ୭୧.୪ କୋଟି ଯୋଗାଣ ପ୍ରକ୍ରିୟା ଭିତରେ ଅଛି। ଦେଶ ସାରା ଶୁକ୍ରବାର ସୁଦ୍ଧା ମୋଟ ୪୨.୭ କୋଟି ଡୋଜ୍ ଟିକା ଦିଆ ସରିଛି ବୋଲି ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଥିଲେ।