କୋଭିଡ୍‌ ପ୍ରଭାବ: ବ୍ୟବସାୟୀଙ୍କ ଆତ୍ମହତ୍ୟା ୨୯% ବଢ଼ିଛି

ନୂଆଦିଲ୍ଲୀ : ୨୦୨୦ରେ କୋଭିଡ୍‌-୧୯ ମହାମାରୀ ଚାଷୀଙ୍କ ଅପେକ୍ଷା ବେଶି ପ୍ରଭାବ ପକାଇଥିଲା ବ୍ୟବସାୟୀ ବର୍ଗଙ୍କ ଆର୍ଥିକ ସ୍ଥିତି ଉପରେ। ଏହି କାରଣରୁ ୨୦୨୦ରେ ଋଣ ଶୁଝି ନ ପାରି ବା ଦେବାଳିଆ ହୋଇ ମୋଟ ୧୧,୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ। ମଙ୍ଗଳବାର କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ଏହି ସୂଚନା ଦେଇଛନ୍ତି। କୋଭିଡ୍ ନ ଥିବା ୨୦୧୯ ତୁଳନାରେ ଏହି ସଂଖ୍ୟା ୨୯ ପ୍ରତିଶତ ଅଧିକ।

ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ (ଏନ୍‌ସିଆର୍‌ବି)ର ‘ଆକ୍ସିଡେଣ୍ଟସ ଆଣ୍ଡ ସୁଇସାଇଡ୍ସ ଇନ୍ ଇଣ୍ଡିଆ’ରେ ପ୍ରକାଶିତ ତଥ୍ୟକୁ ଉଲ୍ଲେଖ କରି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଥିଲା ଯେ ୨୦୧୯ରେ ଭାରତରେ ୯,୦୫୨ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୧୧,୭୧୬କୁ ବୃଦ୍ଧି ପାଇଥିଲା।
ଏହି ସଂଖ୍ୟା ଚାଷୀ ଆତ୍ମହତ୍ୟାଠାରୁ ଅଧିକ। ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ୨୦୨୦ରେ ୧୦,୬୭୭ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ୨୦୧୫ରେ ପ୍ରତି ଜଣେ ବ୍ୟବସାୟୀରେ ୧.୪୪ ଜଣ କୃଷକ ଆତ୍ମହତ୍ୟା କରିଥିବା ବେଳେ ୨୦୨୦ରେ ତାହା ଓଲଟି ପ୍ରତି ଜଣେ କୃଷକରେ ୧.୧ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୨୦୨୦ରେ ପୂର୍ବାପେକ୍ଷା ୨୯.୪ ପ୍ରତିଶତ ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ବେଳେ ୩.୯ ପ୍ରତିଶତ ଅଧିକ କୃଷକ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା କରିଥିବା କୃଷିକ୍ଷେତ୍ରର ମହିଳାଙ୍କୁ ‘ଗୃହିଣୀ’ ବର୍ଗରେ ନିଆଯାଇଥିବାରୁ ଏହି ସଂଖ୍ୟା କମ୍ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ମହାମାରୀର ପ୍ରଭାବ ଏଯାଏ ଦୂର ହୋଇ ନ ଥିବାରୁ ୨୦୨୧ରେ ମଧ୍ୟ ଆତ୍ମହତ୍ୟା ହାରରେ ଅନୁରୂପ ସ୍ଥିତି ଦେଖାଯାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର