ସାଂଘାଇ: ସାଂଘାଇରେ ଶନିବାର ଚିହ୍ନଟ ହୋଇଥିବା ୬,୦୫୧ ନୂତନ କୋଭିଡ୍ ସଂକ୍ରମିତ ଲକ୍ଷଣହୀନ ହୋଇଥିବା ବେଳେ ୨୬୦ ଜଣ ଥିଲେ ଲକ୍ଷଣଯୁକ୍ତ। ମାତ୍ର ଚୀନ୍ ସରକାର କୋଭିଡ୍ କଟକଣାକୁ ଏଭଳି କଡ଼ାକଡ଼ି କରିଛନ୍ତି ଯେ, ଦେଢ଼-ଦୁଇ ବର୍ଷର ପିଲାକୁ ବି ବାପାମାଆଙ୍କଠାରୁ ଅଲଗା କରି କ୍ବାରେଣ୍ଟାଇନରେ ରଖାଯାଉଛି। ସୂଚନାଯୋଗ୍ୟ ଏସ୍‌ଥର ଝାଓ ତାଙ୍କର ଅଢ଼େଇ ବର୍ଷର କୁନି ଝିଅକୁ ମାର୍ଚ୍ଚ ୨୬ରେ ଜର ହୋଇଥିବାରୁ ସାଂଘାଇ ହସ୍ପିଟାଲକୁ ଆଣିଥିଲେ। କିନ୍ତୁ ତାଙ୍କ ଝିଅ ଓ ତାଙ୍କର ଉଭୟଙ୍କର କୋଭିଡ୍ ପଜିଟିଭ୍ ବାହାରିଥିଲା। ଏହାପରେ ଡାକ୍ତରମାନେ ଉଭୟଙ୍କୁ ଅଲଗା କ୍ବାଇରେଣ୍ଟାଇନରେ ରଖିଥିଲେ। ଝିଅକୁ ତାଙ୍କଠାରୁ ଅଲଗା ନ କରିବା ପାଇଁ ଝାଓ ଯେତେ ଅନୁରୋଧ କରିଥିଲେ ବି ତାହା ଶୁଣି ନ ଥିଲେ। ବର୍ତ୍ତମାନ ସ୍ବାମୀ, ସ୍ତ୍ରୀ ଓ ଝିଅ ତିନିହେଁ ଅଲଗା ଅଛନ୍ତି। କେହି କାହାର ଖବର ପାଉନାହାନ୍ତି। ଡାକ୍ତରମାନେ କେବଳ ଏକ ଗ୍ରୁପ୍ ମେସେଜରେ ଦିନକୁ ଥରେ ଜଣାଇ ଦିଅନ୍ତି ଯେ ତାଙ୍କ ଝିଅ ଭଲ ଅଛି। ଝିଅର କୌଣସି ଫଟୋ ବି ସେମାନେ ସେୟାର କରନ୍ତି ନାହିଁ। ଡାକ୍ତରଙ୍କ କହିବା କଥା ହେଲା ସରକାରଙ୍କ ନିୟମ ହେଉଛି ଛୋଟ ପିଲାଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଓ ବୟସ୍କଙ୍କୁ କ୍ବାରେଣ୍ଟାଇନ କେନ୍ଦ୍ରରେ ରଖାଯିବ। ସେମାନେ ନିୟମର ଉଲ୍ଲଂଘନ କରିପାରିବେ ନାହିଁ। ଚୀନ୍‌ରେ କୋଭିଡ୍-ପୀଡ଼ିତ ଛୁଆମାନେ କାନ୍ଦୁଥିବାର ଭିଡ଼ିଓ ଭାଇରାଲ ହୋଇଥିବାରୁ ଝାଓ ତାଙ୍କ ଝିଅର ଅବସ୍ଥା ନେଇ ଅତ୍ୟନ୍ତ ଚିନ୍ତିତ ଓ ଭୟଭୀତ ହୋଇପଡ଼ିଛନ୍ତି।