ମୌସୁମୀ ବେଳେ କୋଭିଡ୍ ସଂକ୍ରମଣ : ଭୂତାଣୁର ଆଚରଣ ନେଇ ନିଶ୍ଚିତ ନୁହନ୍ତି ବୈଜ୍ଞାନିକ
ନୂଆଦିଲ୍ଲୀ: କିଛି ମାସ ତଳେ ଯେତେବେଳେ ଭାରତରେ ମହାମାରୀ କରୋନାଭୂତାଣୁ ସାର୍ସ-କୋଭ୍-୨ ନିଜର କାୟା ବିସ୍ତାରିବା ଆରମ୍ଭ କରିଥିଲା, ଏକ ଭିନ୍ନ ଭାବନାରେ ଦେଶବାସୀ ସେତେ ବେଶୀ ଛାନିଆଁ ହୋଇନଥିଲେ। କାରଣ ଆଗକୁ ଗ୍ରୀଷ୍ମ ଋତୁ ଆସିବାର ଥିବାରୁ , ତାପମାତ୍ରା ବୃଦ୍ଧି ହିଁ ଏହି ଘାତକ ମହାମାରୀର ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ଘଟାଇବ ବୋଲି ସେତେବେଳେ ଆଶା କରାଯାଉଥିଲା। ମାତ୍ର ସେଭଳି କିଛି ଆଶାନୁରୂପ ଆଶ୍ବସ୍ତି ମିଳିନଥିଲା। ଅଦ୍ୟାବଧି ଦେଶରେ ସାଢ଼େ ୩୪ ଲକ୍ଷ ନାଗରିକ ଏଥିରେ ଘାଇଲା ହେବା ସହ ପାଖାପାଖି ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏପରିକି ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଦେଶରେ ମୌସୁମି ଜଳବାୟୁ ପ୍ରବାହ ସହ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ଏହାର ପ୍ରଭାବ ସାର୍ସ-କୋଭ୍-୨ ଉପରେ କିପରି ରହିବ ଏବଂ କୋଭିଡ୍-୧୯ର ସଂକ୍ରମଣ ବଢ଼ିବ ନା କମିବ, ତାହା ହିଁ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଯେହେତୁ ଏହା ଏକ ନୂତନ ଧରଣର ଭୂତାଣୁ, ବର୍ଷା ଦ୍ବାରା ଏହା କିଭଳି ପ୍ରଭାବିତ ହେବ, ସେ ସମ୍ପର୍କରେ ବୈଜ୍ଞାନିକମାନେ ଦୃଢ଼ନିଶ୍ଚିତ ନୁହନ୍ତି। ତେବେ ଅନ୍ୟ ଅନୁରୂପ ଭୂତାଣୁମାନେ ବର୍ଷାଋତୁରେ କିଭଳି ବ୍ୟବହାର କରୁଥିଲେ, ସେଥିରୁ କିଛି ଉପସଂହାର ମିଳିପାରିବ ବୋଲି ଆଶା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ ଓ ଚିକନ୍ଗୁନିଆଁ ପରି ଜଳବାହୀ ରୋଗ ଏଇ ବର୍ଷାଦିନେ ବେଶୀ ଦେଖାଦେଇଥାନ୍ତି। ତେବେ ଡେଙ୍ଗୁ କ୍ଷେତ୍ରରେ ପ୍ରବଳ ବର୍ଷା ଯୋଗୁଁ ଡେଙ୍ଗୁ ସୃଷ୍ଟିକାରୀ ମଶାମାନଙ୍କର ବଂଶବୃଦ୍ଧି ସ୍ଥାନଗୁଡ଼ିକ ଧୋଇହୋଇଯିବା ସହ ସେମାନଙ୍କ ପ୍ରଜନନ ଚକ୍ରରେ ମଧ୍ୟ ବାଧା ଉପୁଜିଥାଏ ବୋଲି ଏକ ଅଧ୍ୟୟନରୁ ଜଣଯାଇଛି। ଅପରପକ୍ଷେ, ସମାନ ପ୍ରକାରର ଶ୍ବାସକ୍ରିୟା ସମସ୍ୟା ଜନିତ ରୋଗ ହୋଇଥିବାରୁ କୋଭିଡ୍କୁ କେବଳ ଇନ୍ଫ୍ଲୁଏଞ୍ଜା ସହ ତୁଳନା କରାଯାଇପାରେ। ତେବେ ସେମାନଙ୍କ ସହ ଜଡ଼ିତ ଭୂତାଣୁମାନେ ଭିନ୍ନ ପ୍ରକାରେ ବହୁଗୁଣିତ ହୋଇଥାନ୍ତି ଓ ମନୁଷ୍ୟ ଶରୀରରେ ମଧ୍ୟ ସେମାନଙ୍କ ପ୍ରଭାବ ଭିନ୍ନ ଧରଣର। ସେହିପରି ଇନ୍ଫ୍ଲୁଏଞ୍ଜା ସମେତ ଅନ୍ୟ କିଛି ଭୂତାଣୁଜନିତ ଶ୍ବାସକ୍ରିୟା ସମସ୍ୟା ସୃଷ୍ଟିକାରୀ ରୋଗର ବାହକମାନଙ୍କର ଋତୁକାଳୀନ ଆଚରଣ ସମ୍ପର୍କରେ ଠୋସ୍ କିଛି ଜଣାନପଡ଼ିବା ହିଁ ସବୁଠୁ ଅଡୁଆ ବୋଲି ଆମେରିକାର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ମାର୍କ ଆଲେନ୍ କହିଛନ୍ତି। ସେଥିଯୋଗୁଁ ଆମେରିକାରେ କେବେ ଫ୍ଲୁ ଋତୁ ଆସିବ, ତାହା ପୂର୍ବାନୁମାନ କରିବା କଷ୍ଟକର ବ୍ୟାପାର। ସଂକ୍ରମଣରେ କେବଳ ପରିବେଶର ତାପମାତ୍ରା, ବୃଷ୍ଟିପାତ କି ଘର ଭିତରେ ରହିବା ଭଳି ଗୋଟିଏ ଉପାଦାନ ଉଲ୍ଲେଖନୀୟ ଭୂମିକା ନିଭାଇନଥାଏ। ବରଂ ସେସବୁ ରୋଗର ସଂକ୍ରମଣ ପଛରେ ସୂର୍ଯ୍ୟାଲୋକ, ଶରୀରରେ ଭିଟାମିନ୍-ଡି ପରିମାଣ ମଧ୍ୟ କାମ କରିଥାଏ। ଏଥି ସହିତ ସମତଳ ସଂସ୍ପର୍ଶ ଯୋଗୁଁ କେତେ ପରିମାଣର ସଂକ୍ରମଣ ଘଟିଥାଏ, ତାହା ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ଜଣାନାହିଁ। ତେବେ ବର୍ଷାଦିନେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦେବାକୁ ଅନେକ ଭୂତାଣୁ ବିଶେଷଜ୍ଞ ପରାମର୍ଶ କରିଛନ୍ତି। ସାଧାରଣତଃ ବର୍ଷାଦିନେ ରାସ୍ତାଘାଟରେ ଧୋଇହୋଇଯିବ ଭାବି ଲୋକେ ବେଶୀ ବେଶୀ ଛେପ ଖଙ୍କାର ପକାଇଥାନ୍ତି। ସେହିପରି ବର୍ଷା ଯୋଗୁଁ ଲୋକେ ବାହାରେ ବେଶୀ ବୁଲାବୁଲି ନକରି ଘରେ କିମ୍ବା କାର୍ଯ୍ୟାଳୟରେ ସୀମିତ ଅବରୁଦ୍ଧ ସ୍ଥଳରେ ସମୟ କଟାଇଥାନ୍ତି। ସେହିପରି ବାହାର ସ୍ଥାନରେ ଖୁବ୍ କମ୍ ଗହଳି ରହିଥାଏ।