ବ୍ରିଟେନ ମନା କଲା, ଆମେରିକା ହଁ ଭରିଲା

ଆମେରିକା ଯିବାକୁ କୋଭିସିଲଡ ପାଇଁ ବଦଳିଲା ନିୟମ

ନୂଆଦିଲ୍ଲୀ: ଆପଣ ଆମେରିକା ଯିବାକୁ ଚାଁହୁଛନ୍ତି କି? ଯଦି ହଁ ତେବେ ଆପଣ କୋଭିସିଲଡ ଟିକାର ଦୁଇଟି ଡୋଜ ନେଇଥିବା ଜରୁରୀ | କାରଣ ଆଜି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ନେଇ ଆମେରିକା ନୂଆ ପରିବର୍ତ୍ତନ କରିଛି | ଆମେରିକା ଏକ ନୂତନ ଅନ୍ତର୍ଜାତୀୟ ଭ୍ରମଣ ବ୍ୟବସ୍ଥା ଘୋଷଣା କରିଛି, ଯାହା ଅଧୀନରେ କେବଳ ଟିକା ନେଇଥିବା ଲୋକମାନେ ନଭେମ୍ବରରୁ ଆମେରିକାରେ ପ୍ରବେଶ କରିପାରିବେ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମହାମାରୀ ଆରମ୍ଭରେ ବିଦେଶୀ ଯାତ୍ରୀମାନଙ୍କୁ ଆମେରିକାରେ ପ୍ରବେଶ କରିବାକୁ ବାରଣ କରିଥିଲେ | ଆଉ ବର୍ତ୍ତମାନ ରାଷ୍ଟ୍ରପତି ବାଇଡେନଙ୍କ ନୂତନ ନୀତି ଭାରତ ଭଳି ଦେଶର ଲୋକଙ୍କୁ ଯାତ୍ରା ପ୍ରତିବନ୍ଧକରୁ ମୁକ୍ତ କରିଛି। ସେହି ୩୩ ଟି ଦେଶ ମଧ୍ୟରେ ଭାରତ ଅଛି ଯାହାର ନାଗରିକଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି |

କୋଭିସିଲଡ ହେଉଛି ଭାରତ ନିର୍ମିତ ଟିକା ଯାହାକି ଏପର୍ଯ୍ୟନ୍ତ ଅନୁମୋଦିତ ଟିକା ତାଲିକାରେ ଅଛି। ନଭେମ୍ବର ଠାରୁ, ଆମେରିକାରେ ଜର୍ମାନୀ, ଇଟାଲୀ, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ଭାରତ ସହ ବ୍ରିଟେନ, ଆୟର୍ଲାଣ୍ଡ, ଗ୍ରୀସ୍, ଚୀନ୍, ଦକ୍ଷିଣ ଆଫ୍ରିକା, ଇରାନ ଏବଂ ବ୍ରାଜିଲର ନାଗରିକଙ୍କୁ ଆମେରିକା ଯିବାକୁ ଅନୁମତି ଦେଇଛି |ତେବେ ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତିଙ୍କୁ ହିଁ ପ୍ରବେଶ ଅନୁମତି ଥିବାବେଳେ ହ୍ୱାଇଟ ହାଉସ୍ ସ୍ପଷ୍ଟ କରିଛି ଯେ କେଉଁ ଟିକା ଗ୍ରହଣ କରାଯିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଉପରେ ରହିଛି। ଆମେରିକାର ସର୍ବୋଚ୍ଚ ଚିକିତ୍ସା ସଂସ୍ଥା କହିଛି ଯେ ଜଣେ ବ୍ୟକ୍ତି କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦିତ ଟିକା ନେଇଥିଲେ ହିଁ କରୋନା ବିରୋଧରେ ‘ସମ୍ପୂର୍ଣ୍ଣ ଟୀକାକରଣ’ ଭାବରେ ବିବେଚନା କରାଯିବ। ବିଦେଶୀ ନାଗରିକମାନେ ଯାତ୍ରା ପୂର୍ବରୁ ଟିକାକରଣର ଏକ ପ୍ରମାଣପତ୍ର ଉପସ୍ଥାପନ କରିବା ଜରୁରୀ | ଆଉ ଏସବୁ ଥିଲେ ସଙ୍ଗରୋଧର ଆବଶ୍ୟକତା ପଡିବ ନାହିଁ |

ସୂଚନା ଥାଉ କି କୋଭିସିଲଡକୁ ନେଇ ବ୍ରିଟେନ ସରକାର ଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଥିଲେ | ଭାରତ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରାଜିଲ ପ୍ରଭୃତି ବିଭିନ୍ନ ବିକାଶଶୀଳ ଦେଶର ଲୋକମାନେ ଦୁଇଟି ମାତ୍ରା ଟିକା ନେଇଥିଲେ ବି ସେମାନଙ୍କୁ ବ୍ରିଟେନ ପ୍ରବେଶ ଉପରେ ନିଷେଧାଜ୍ଞା ଲଗାଯାଇଥିଲା । ଏପରିକି ଭାରତରେ ଦୁଇଟି ମାତ୍ରା କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ମଧ୍ୟ ଟିକା ନେଇନାହାନ୍ତି ବୋଲି ଧରାଯିବ ବୋଲି ବ୍ରିଟେନ ସ୍ପଷ୍ଟ କରିଥିଲା । ଆଉ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ବ୍ରିଟିଶ ସରକାରଙ୍କ ନିକଟରେ ପ୍ରତିବାଦ କରାଯାଇଛି ।

ସମ୍ବନ୍ଧିତ ଖବର