ନୂଆଦିଲ୍ଲୀ: ଭାରତଠାରୁ କଡ଼ା ଚେତାବନୀ ପାଇବାପରେ ବ୍ରିଟେନ୍‌ କୋଭିସିଲ୍ଡ ଟିକାକୁ ସ୍ବୀକୃତି ଦେଇଛି। ବ୍ରିଟେନ୍‌ର ସ୍ବୀକୃତିପ୍ରାପ୍ତ ଟିକା ତାଲିକାରେ କୋଭିସିଲ୍ଡ ରହିଛି। ଏହାସତ୍ତ୍ବେ ବି ୨ଟି ଡୋଜ୍‌ କୋଭିସିଲ୍ଡ ଟିକା ନେଇଥିବା ଭାରତୀୟ ବ୍ରିଟେନରେ ପହଞ୍ଚିବାପରେ କ୍ବାରାଣ୍ଟିନ୍‌ରେ ରହିବେ। ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁଯାୟୀ ବ୍ରିଟେନ୍‌ର କୋଭିସିଲ୍ଡ ଟିକାକୁ ନେଇ କୌଣସି ସମସ୍ୟା ନାହିଁ କିନ୍ତୁ ଭାରତ ଦ୍ବାରା ଦିଆଯାଉଥିବା ଟିକା ସାର୍ଟିଫିକେଟ୍‌କୁ ନେଇ ସମସ୍ୟା ରହିଛି। ଏ ବାବଦରେ ଭାରତର ଉଦ୍‌ବେଗକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସୁଦ୍ଧା ବ୍ରିଟେନ୍‌ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ବ୍ରିଟେନ୍‌ ଜାରି କରିଥିବା ନୂଆ ଭ୍ରମଣ ନୀତିରେ କୁହାଯାଇଛି ଯେ, ବିଟେନ୍‌, ୟୁରୋପ୍‌, ଆମେରିକା କିମ୍ବା ବିଦେଶରେ ବ୍ରିଟେନ୍‌ର ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଯେଉଁମାନେ ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକା, ଫାଇଜର ବାୟୋ‌ଏନ୍‌ଟେକ୍‌, ମଡର୍ଣ୍ଣା କିମ୍ବା ଜନ୍‌ସନ୍‌ ଟିକା ନେଇଛନ୍ତି ସେମାନେ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି ବୋଲି ଧରାଯିବ। ନୂଆ ଭ୍ରମଣ ନୀତିରେ କୁହାଯାଇଛି ଯେ ଇଂଲଣ୍ଡ୍‌ରେ ପହଞ୍ଚିବାର ଅତି କମ୍‌ରେ ୧୪ ଦିନ ପୂର୍ବରୁ ଜଣେ ସମ୍ପୂର୍ଣ୍ଣ ଡୋଜ୍‌ ଟିକା ନେଇଥିବା ଆବଶ୍ୟକ।

Advertisment

ବ୍ରିଟେନ୍‌ ଭାରତର କୋଭିଡ୍‌ ଟିକାକରଣ ପ୍ରମାଣୀକରଣ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ କରିଛି। ଏହି କାରଣ ପାଇଁ ସମ୍ପୂର୍ଣ୍ଣ ଟିକା ନେଇଥିବା ଭାରତୀୟ ବି ବ୍ରିଟେନ୍‌ରେ କ୍ବାରାଣ୍ଟିନରେ ରହିବେ। ବ୍ରିଟେନ୍‌ ପରିବର୍ତ୍ତନ କରିଥିବା ନିୟମ ପରେ ଭାରତ ଆଉ ବ୍ରିଟେନ୍‌ର ରେଡ୍‌ ଲିଷ୍ଟ୍‌ରେ ରହିବନି। କିନ୍ତୁ କ୍ବାରାଣ୍ଟିନ୍‌ ନୀତିରେ କୌଣସି କୋହଳ ହୋଇନାହିଁ। ଭାରତ ସରକାର ବ୍ରିଟେନର ଏହି ଟିକା ନୀତିକୁ ଭେଦଭାବପୂର୍ଣ୍ଣ କହିବା ସହ ଏହାକୁ କଡ଼ା ବିରୋଧ କରିଥିଲେ ଏବଂ ବ୍ରିଟେନ୍‌ ଏହାର ସମାଧାନ ନକଲେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ବ୍ରିଟେନ୍‌ କୋଭିସିଲ୍ଡ ଟିକାକୁ ସ୍ବୀକୃତି ଦେଇଛି ଏବଂ କୋୱିନ୍‌କୁ ନେଇ ଆସନ୍ତାକାଲି ସୁଦ୍ଧା ନିଷ୍ପତ୍ତି ନେବ ବୋଲି କହିଛି।