ଜୟପୁର: ରାଜସ୍ଥାନର ପାଲି ଜିଲ୍ଲାର ମାରଓ୍ବାଡ଼ ଜଙ୍କସନ ଉପଖଣ୍ଡରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦୀପାବଳି ପାଇଁ ବାଣ ବିକ୍ର ଉପରେ କଟକଣା ଲାଗିଥିଲେ ବି କିଛି ଲୋକ ଚୋରାରେ ଏହାକୁ ଆଣିବା ସହ ବିକ୍ରି ବି କରୁଛନ୍ତି। ତେବେ କେହି ଜଣେ ନିଷ୍ଠୁର ବ୍ୟକ୍ତି ଖାଦ୍ୟରେ ବାଣ ମିଶାଇ ଗାଈକୁ ଖାଇବାକୁ ଦେଇଥିଲେ। ଫଳରେ ସେହି ଖାଦ୍ୟ ଖାଇ ଗାଈ ଗୁରୁତର ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କେହି ଜଣେ ଗାଈ ଖାଉଥିବା ଖାଦ୍ୟରେ ବାଣ ମିଶାଇ ଦେଇଥିଲେ। ଗାଈ ମଣିଷ ଉପରେ ଆଖିବୁଜି ବିଶ୍ବାସ କରି ସେହି ଖାଦ୍ୟକୁ ଖାଇଥିଲା। ଫଳରେ ଉକ୍ତ ବାଣଟି ପାଟିରେ ଫାଟିଯିବାରୁ ଗାଈ ଗୁରୁତର ହୋଇପଡ଼ିଥିଲା। ଗାଈର ମୁହଁ ପୂରାପୂରି ଫାଟି ଲହୁଲୁହାଣ ହୋଇଯାଇଥିଲା। ଏହି ସମ୍ଭେଦନଶୀଳ ଘଟଣା ସମ୍ପର୍କରେ ଖବର ପାଇ ମାରଓ୍ବାଡ଼ ଜଙ୍କସନର ଗୋ ପୁତ୍ର ସେନାର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବଜରଙ୍ଗ ଦଳର ପଶୁ ଆମ୍ବୁଲାନ୍ସରେ ଗୁରୁତର ଗାଈକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ।
ତେବେ ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟାଇଥିବା ଅପରାଧୀ ବିରୋଧରେ ଗାଁ ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-1-copy-17.jpg)