ଫେବୃଆରି ୧୪ରେ ପାଳନ କରାଯିବ ନାହିଁ ‘ଗୋ’ ମାତା ଆଲିଙ୍ଗନ ଦିବସ’, ପ୍ରାଣୀ କଲ୍ୟାଣ ବୋର୍ଡ ଫେରାଇ ନେଇଛି ଆବେଦନ

ନୂଆଦିଲ୍ଲୀ: ଚଳିତ ଥର ଫେବୃଆରି ୧୪କୁ ଭାଲେଣ୍ଟାଇନ୍ସ ଡେ’ ପରିବର୍ତ୍ତେ ‘ଗୋ’ ମାତା ଆଲିଙ୍ଗନ  ଦିବସ’ ଭାବେ ପାଳନ କରାଯିବ ବୋଲି ଭାରତର ପ୍ରାଣୀ କଲ୍ୟାଣ ବୋର୍ଡ ଆବେଦନ କରିଥିଲା। ଏହି ଆବେଦନକୁ ମଞ୍ଜୁରି ବି ମିଳି ଯାଇଥିଲା। ଆଜି କିନ୍ତୁ ବୋର୍ଡ ଏହି ଆବେଦନକୁ ଫେରାଇ ନେଇଛି।

ଆମ ଆଦମୀ ପାର୍ଟି ଓ ତୃଣମୂଳ କଂଗ୍ରେସ ଭଳି ବିରୋଧୀ ଦଳ ଫେବୃଆରି୧୪କୁ ଭାଲେଣ୍ଟାଇନ୍ସ ଡେ’ ପରିବର୍ତ୍ତେ ‘ଗୋ’ ମାତା ଆଲିଙ୍ଗନ ଦିବସ’ ଭାବେ ପାଳନ କରାଯିବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଆଜି ସରକାର ଏହି ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି।

ଭାରତର ପ୍ରାଣୀ କଲ୍ୟାଣ ବୋର୍ଡ ଫେବ୍ରୁଆରି ୬ ତାରିଖରେ ଆବେଦନ କରିଥିବା ପତ୍ରରେ ଏହା ପଛର କାରଣ ଦର୍ଶାଇଥିଲେ। ଏହି ପତ୍ରରେ ଲେଖିଥିଲେ କି, ଆମେ ସମସ୍ତେ ଜାଣି‌ଛେ ଗାଈ ଭାରତୀୟ ସାଂସ୍କୃତିକ ଓ ଗ୍ରାମୀଣ ଆର୍ଥିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ। କାରଣ ବିନା ଖର୍ଚ୍ଚରେ ଗାଈଙ୍କ ମୂତ୍ର ଏବଂ ଖତ ଚାଷ କାର୍ଯ୍ୟରେ ବେଶ ସହାୟକ ହୋଇଥାଏ। ଗାଈଠାରୁ ଆମେ ଏସବୁ ପାଉଥିବାରୁ ତାହାକୁ କାମଧେନୁ ଓ ଗୋ’ ମାତା ବୋଲି କୁହାଯାଇଥାଏ।

ଫେବୃଆରି ୧୪କୁ ଭାଲେଣ୍ଟାଇନ୍ସ ଡେ’ ପରିବର୍ତ୍ତେ ‘ଗୋ’ ମାତା ଆଲିଙ୍ଗନ  ଦିବସ’ ଭାବେ ପାଳନ କରାଯିବା ଆବେଦନକୁ ମଞ୍ଜୁରି ମିଳିଯିବା ପରେ ବିଜେପି ସାଂସଦ ବିଜୟପାଲ ସିଂ ତୋମାର କହିଥିଲେ, ‘ଗାଈକୁ ଆଲିଙ୍ଗନ କରିବା ଚାଷୀଙ୍କ ସହ ଜଡ଼ିତ। ସେଥିପାଇଁ ପଶୁ କଲ୍ୟାଣ ବୋର୍ଡ ଅଫ୍ ଇଣ୍ଡିଆର ଏହି ଆବେଦନକୁ ମୁଁ ସ୍ୱାଗତ କରୁଛି।’

ସମ୍ବନ୍ଧିତ ଖବର