ଗୋହତ୍ୟା ବନାମ: ପୁଲିସ ହତ୍ୟା‌, ଯୋଗୀଙ୍କ ବିଚିତ୍ର ନୀତି

ଗୋହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେନି

ଲକ୍ଷ୍ନୌ: ଗୋହତ୍ୟା ସନ୍ଦେହରୁ ଉତ୍ତର ପ୍ରଦେଶର ବୁଲନ୍ଦସର୍‌ରେ ଘଟିଥିବା ହିଂସାକାଣ୍ଡକୁ ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଶେଷକରି ଇନ୍ସପେକ୍ଟର ସୁବୋଧ କୁମାର ସିଂହଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ୍‌ କରାଯାଇଛି। ତେବେ ଯୋଗୀ କହିଛନ୍ତି, ଗୋହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ବି‌ରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ମୃତ ଇନ୍ସପେକ୍ଟରଙ୍କ ପ୍ରସଙ୍ଗରେ ସେ ମୁହଁ ଖୋଲିନାହାନ୍ତି। ଏଥିପାଇଁ ଅସନ୍ତୋଷ ଦେଖାଦେଇଛି। ବୁଲନ୍ଦସର୍‌ ହିଂସାକାଣ୍ଡ ବେଳେ ଆଦିତ୍ୟନାଥ ରାଜ୍ୟସ୍ଥାନ ନିର୍ବାଚନୀ ଗସ୍ତରେ ଥିବା ବେଳେ ବିରୋଧୀ ତାଙ୍କୁ ଏପଟେ ତୀବ୍ର ସମାଲୋଚନା କରିଥିଲେ। ରାଜ୍ୟରେ ଏତେବଡ଼ ହିଂସାକାଣ୍ଡ ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରହିବା ଦୁଃଖର ବିଷୟ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେଓ୍ବାଲା ଟ୍ବିଟ୍‌ କରି କହିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଯୋଗୀଙ୍କ ପକ୍ଷରୁ ଜରୁରି ବୈଠକ ଡକାଯାଇଥିଲା। ଏଥିରେ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଯୋଗୀ ଗୋହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ (ସୂଚନା) ଅବିନିଶ ଅୱସ୍ତି କହିଛନ୍ତି, ବୁଲନ୍ଦସର୍‌ ହିଂସା ଘଟଣ‌ାରେ ଏକ ବଡ଼ ଷଡ଼୍‌ଯନ୍ତ୍ର ଲୁଚି ରହିଥିବା ମୁଖ୍ୟମନ୍ତ୍ରୀ ଅନୁଭବ କରିଥିଲେ। ତେଣୁ ମାମଲାରେ ପ୍ରଥମେ ଗୋହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ଯୋଗୀ କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବୈଠକରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ମୃତ ଇନ୍ସପେକ୍ଟର ସୁବୋଧ କୁମାରଙ୍କ ବାବଦରେ ଗୋଟିଏ ହେଲେ ଶବ୍ଦ କହିନଥିଲେ। ବୁଲନ୍ଦସର୍‌ସ୍ଥିତ ସ୍ୟାନା ଥାନା ଅନ୍ତର୍ଗତ ଏକ ସ୍ଥାନରୁ ବିପୁଳ ପରିମାଣର ଗୋମାଂସ ଓ ଗୋ ଅବଶେଷାଂଶ ଠାବ କରାଯିବା ପରେ ଅଞ୍ଚଳର ହିନ୍ଦୁ ସଂଗଠନଗୁଡ଼ିକର ସଦସ୍ୟମାନେ ଉତ୍ତ୍ୟକ୍ତ ହୋଇ ହିଂସାକାଣ୍ଡ ଘଟାଇଥିଲେ।

ସମ୍ବନ୍ଧିତ ଖବର