ଗାଈଙ୍କ ପାଇଁ ବଞ୍ଚିଗଲା ସିଆରପିଏଫ ଯବାନଙ୍କ ଜୀବନ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ରଚାଯାଇଥିବା ଏକ ବଡଧରଣର ଷଡ଼ଯନ୍ତ୍ରକୁ ଗାଈଙ୍କ ଏକ ଦଳ ପଣ୍ଡ କରିଦେଇଛନ୍ତି | ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରି ପ୍ରେସର ବୋମା ରଖିଥିବାବେଳେ ସେହି ରାସ୍ତା ଦେଇ ଗାଈ ଯିବା ଦ୍ୱାରା ଏଇ ଉଦ୍ୟମ ଫସର ଫାଟିଯାଇଥିଲା | ମିଳିଥିବା ସୂଚନା ମୁତାବକ ବିଜାପୁରରୁ ସୁକୁମାକୁ ରାସ୍ତା ସଂଯୋଗ ପାଇଁ କାମ ଚାଲିଥିଲା | ଏହି ଅଞ୍ଚଳଟି ମାଓ ଉପଦ୍ରୁତ ଅଂଚଳ ହୋଇଥିବାରୁ ରାସ୍ତାର ସୁରକ୍ଷା ଦାୟିତ୍ୱରେ ଥିଲେ ସିଆରପିଏଫ ଯବାନ | ଯବାନମାନଙ୍କ ୧୬୮ ବାଟାଲିୟନ ରାସ୍ତା ନିକଟରେ କ୍ୟାମ୍ପ କରି ରାସ୍ତାକୁ ଜଗୁଥିଲେ | ତେବେ ଯୋଗାଯୋଗ ବିଛିନ୍ନ କରିବାକୁ ଓ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି ରାସ୍ତାର ଉଭୟ ପାର୍ଶ୍ୱରେ ମାଓବାଦୀମାନେ ଆଇଇଡି ବିସ୍ଫୋରକ ସହ ପ୍ରେସର ବୋମା ଲଗାଇଦେଇଥିଲେ |

Photo-Freepik

କିଛି ସମୟ ପରେ ଯବାନଙ୍କୁ ନେଇ ଗାଡି ଆସିବାକୁ ଥିବାବେଳେ ଗାଈଙ୍କର ଏକ ଦଳ ଏହି ବାଟ ଦେଇ ଯାଇଥିଲେ | ଗାଈଙ୍କ ପାଦର ଚାପରେ ଏହି ପ୍ରେସର ବୋମା ଫାଟିଯାଇଥିଲା | ପ୍ରଚଣ୍ଡ ଶବ୍ଦ ହେବା ପରେ ଯବାନମାନେ ଏ ବାବଦରେ ଜାଣିପାରିଥିଲେ | ତେବେ ଏହି ବିସ୍ଫୋରଣରେ କୌଣସି ଯବାନଙ୍କର କୌଣସି କ୍ଷତି ହୋଇନଥିବାବେଳେ ଦୁଇଟି ଗାଈଙ୍କର ମୃତ୍ୟୁ ଘଟିଛି |

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଗାଈଙ୍କ ବଡ ଦଳ ପ୍ରେସର ବୋମା ପୋତାଯାଇଥିବା ସ୍ଥାନରେ ବାରମ୍ବାର ପାଦ ରଖିବାରୁ ସେହି ଚାପରେ ଏହା ଫାଟିଯାଇଥିଲା | ଏହି ଘଟଣା ପରେ ଯବାନମାନେ ସ୍ଥାନୀୟ ଅଂଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି |

ସମ୍ବନ୍ଧିତ ଖବର