ଗୋରକ୍ଷା ନାଁରେ ହିଂସାକାଣ୍ଡ ରୋକିବାରେ ବିଫଳ :୩ ରାଜ୍ୟକୁ ଅଦାଲତ ଅବମାନନା ନୋଟିସ୍‌

ନୂଆଦିଲ୍ଲୀ: ଗୋରକ୍ଷା ନାମରେ ବଢ଼ୁଥିବା ହିଂସାକାଣ୍ଡ ରୋକିବାପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଥିବାରୁ ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶ ପରି ୩ଟି ରାଜ୍ୟକୁ ସୁପ୍ରିମକୋର୍ଟ ଆଜି ଅଦାଲତ ଅବମାନନା ନୋଟିସ୍‌ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରି ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶ ସରକାର ହିଂସାକାଣ୍ଡ ରୋକିବାରେ ଯଥୋଚିତ ପଦକ୍ଷେପ ନେଇନଥିବାରୁ ସେମାନଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ଆବେଦନକୁ ଭିତ୍ତି କରି ଆଜି କୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କ ଦ୍ୱାରା ଦାଏର ହୋଇଥିବା ଏହି ଅଦାଲତ ଅବମାନନା ପିଟିସନ୍‌କୁ ଆଧାର କରି ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପରିଚାଳନାରେ ଗଠିତ ଖଣ୍ଡପୀଠ ସମ୍ପୃକ୍ତ ୩ ରାଜ୍ୟଙ୍କୁ ଉକ୍ତ ନୋଟିସ୍‌ ଜାରି କରିଛନ୍ତି ଏବଂ ଆସନ୍ତା ଏପ୍ରିଲ ୩ ସୁଦ୍ଧା ଏହାର ଉତ୍ତର ଦେବାପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ଗୋରକ୍ଷା ନାମରେ ବଢ଼ୁଥିବା ହିଂସାକାଣ୍ଡ ରୋକିବାପାଇଁ ସୁପ୍ରିମକୋର୍ଟ ଗତବର୍ଷ ସେପ୍ଟେମ୍ବର ୬ ତାରିଖରେ ସମସ୍ତ ରାଜ୍ୟ ସରକାର ଗୁଡ଼ିକୁ ପ୍ରତି ଜିଲ୍ଲାରେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ ତଥା ନିର୍ଦ୍ଦିିଷ୍ଟ ଭାବେ ଜଣେ ଡେପୁଟି ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ର‍୍ୟାଙ୍କ୍‌ର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରି ଗୋରକ୍ଷା ନାମରେ ହିଂସାକାଣ୍ଡ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ରାଜ୍ୟଗୁଡ଼ିକ ଗୋସୁରକ୍ଷା ନାମରେ ହିଂସାକାଣ୍ଡ ରୋକିବାରେ ବିଫଳ ହୋଇଥିବାରୁ ସେମାନଙ୍କ ଉପରେ ଅଦାଲତ ଅବମାନନା ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷରେ ଏହି ଅଦାଲତ ଅବମାନନା ପିଟିସନ୍‌ ସହ ଗାନ୍ଧୀଙ୍କ ଦ୍ୱାରା ଦାଏର ହୋଇଥିବା ମୂଳ ରିଟ୍‌ ପିଟିସନ୍‌ର ଖୁବ୍‌ ଶୀଘ୍ର ଶୁଣାଣି କରିବେ ବୋଲି ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର