ନୂଆଦିଲ୍ଲୀ: ଦେଶର ନୂତନ ଉପରାଷ୍ଟ୍ରପତି ଭାବେ ସିପି ରାଧାକୃଷ୍ଣନ ସେପ୍ଟେମ୍ବର ୧୨, ୨୦୨୫ ଶୁକ୍ରବାର ଦିନ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି ।

Advertisment

ଏହି ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଦୀର୍ଘ ୫୩ଦିନ ପରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି।  ଇସ୍ତଫା ଦେବା ପରେ ଜଗଦୀପଙ୍କୁ ସାର୍ବଜନୀନ ଭାବରେ କୌଣସି ସ୍ଥାନରେ ଦେଖିବାକୁ ମିଳି ନଥିଲା। ଇସ୍ତଫା  ପରେ ଜଗଦୀପ କୌଣସି ସ୍ଥାନରେ ନଜର ଆସୁ ନଥିବାରୁ ବିରୋଧୀ ଦଳ ପକ୍ଷରୁ ସେ କେଉଁଠି ଏବଂ କେଉଁ ଅବସ୍ଥାରେ ଅଛନ୍ତି ସେ ବିଷୟରେ ଲଗାତାର ପ୍ରଶ୍ନବାଣ କରାଯାଉଥିଲା।

ସିପି ରାଧାକୃଷ୍ଣନଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ସମେତ ଜଗଦୀପ ଧନଖଡ଼ ଉପସ୍ଥିତ ରହିଥିଲେ। ଧନଖଡ଼ଙ୍କୁ ସାର୍ବଜନୀନ ଭାବେ ଦେଖିବା ପରେ ବିରୋଧୀଙ୍କ ପ୍ରଶ୍ନର ଅନ୍ତ ଘଟିଛି। ସେ ଅନ୍ୟ ଅତିଥିମାନଙ୍କ ପରି ଶପଥ ଗ୍ରହଣ ଅବସରରେ ଯୋଗ ଦେଇଥିଲେ। 

ରାଧାକୃଷ୍ଣନଙ୍କ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ନୀତିନ ଗଡକରୀ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ଚଣ୍ଡିଗଡ଼ ପ୍ରଶାସକ ଗୁଲାବ ଚାନ୍ଦ କଟାରିଆ ମଧ୍ୟ ପହଞ୍ଚିଥିଲେ।

ରାଧାକୃଷ୍ଣନ ଦେଶର ୧୫ତମ ଉପରାଷ୍ଟ୍ରପତି ହୋଇଛନ୍ତି। ସେପ୍ଟେମ୍ବର ୯ ତାରିଖରେ ହୋଇଥିବା ନିର୍ବାଚନରେ ତାଙ୍କୁ ମୋଟ ୪୫୨ ଭୋଟ ମିଳିଥିବା ବେଳେ ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ କେବଳ ୩୦୦ ଭୋଟ ପାଇଥିଲେ। ଉପରାଷ୍ଟ୍ରପତି ହେବା ପୂର୍ବରୁ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ। ଏହା ବ୍ୟତୀତ ସେ ତାମିଲନାଡୁର ରାଜ୍ୟ ସଭାପତି ମଧ୍ୟ ରହିସାରିଛନ୍ତି।