ଚୀନ୍‌ର ସିପିଇସି ସୁରକ୍ଷା ଚିନ୍ତା: ବାଲୁଚି ଆତଙ୍କବାଦୀଙ୍କ ସହ ଗୋପନ କଥାବାର୍ତ୍ତା ଚଳାଇଛି

ଏହି ନୂଆ ଆକ୍ରମଣ ଅଭିଯୋଗ ରୋଚକ ଚର୍ଚ୍ଚାର ବିଷୟ ହୋଇଛି।

ନୂଆଦିଲ୍ଲୀ : ଚୀନ୍‌ ପାକିସ୍ତାନ ଆର୍ଥିକ ଅଳିନ୍ଦ(ସିପିଇସି) ପ୍ରକଳ୍ପ ନେଇ ଚୀନ୍‌ କେତେ ସତର୍କ ଏବଂ ନିଜର କୂଟବୁଦ୍ଧିର ପ୍ରୟୋଗ କରି କେତେ କୁତ୍ସିତ ପଦକ୍ଷେପ ନେଇଛି ତାହାର ଏକ ଉଦାହରଣ ଆଜି ଏକ ବ୍ରିଟିଶ୍‌ ଖବରକାଗଜରେ ପ୍ରକାଶିତ ସ୍ପଷ୍ଟ ହୋଇଛି। ଚୀନ୍‌ ଏହାର ୫ ହଜାର କୋଟି ଡଲାରରୁ ଊର୍ଦ୍ଧ୍ୱ ସିପିଇସି ପ୍ରକଳ୍ପକୁ ସୁରକ୍ଷା ଦେବାଲାଗି ପାକିସ୍ତାନରେ ବାଲୁଚି ଆତଙ୍କବାଦୀମାନଙ୍କ ସହ ଗୁପ୍ତ କଥାବାର୍ତ୍ତା ଜାରି ରଖିବା ଘଟଣା ବୁଦ୍ଧିଜୀବୀମାନଙ୍କୁ ଚକିତ କରିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍‌ ବାଲୁଚିସ୍ତାନ୍‌ର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏହାର ମୁଖ୍ୟ ଅଧିକାରୀମାନଙ୍କୁ ପଠାଇ ସିପିଇସି ପ୍ରକଳ୍ପକୁ ସୁରକ୍ଷା ଦେବାଲାଗି ବାଲୁଚି ଆତଙ୍କବାଦୀଙ୍କ ସହ କଥାବାର୍ତ୍ତା ଜାରି ରଖିଛି। ମୁଖ୍ୟତଃ ଅଶାନ୍ତ ଅଞ୍ଚଳରେ ରହିଥିବା ସିପିଇସିର ମୁଖ୍ୟ ପ୍ରକଳ୍ପ ସ୍ଥାନରେ ବାଲୁଚି ଆତଙ୍କବାଦୀମାନଙ୍କ ସହ ଚୀନ୍‌ ସିଧାସଳଖ କଥାବାର୍ତ୍ତା ଜାରି ରଖିଛି। ଅପରପକ୍ଷେ, ସିପିଇସି ପ୍ରକଳ୍ପ ବିରୋଧରେ ଆତଙ୍କବାଦୀ ଆକ୍ରମଣ ନେଇ ଚୀନ୍‌ ପାକିସ୍ତାନରେ ଥିବା ଏହାର ନାଗରିକଙ୍କୁ ସତର୍କ କରାଇବା ଲାଗି ବିଜ୍ଞପ୍ତି ପ୍ରକାଶ କରିବାର ୨ ମାସ ପରେ ଏଭଳିି ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ସ୍ଥିତ ଚୀନ୍‌ ଦୁତାବାସ ଏହାର େଓ୍ଵବସାଇଟ୍‌ରେ ଏକ ବିବୃତି ଜାରି କରି କହିଥିଲା ଯେ ପାକିସ୍ତାନରେ ଚୀନ୍‌ ପ୍ରତିଷ୍ଠାନ ଏବଂ ଚୀନ୍‌ ନାଗରିକଙ୍କ ବିରୋଧରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରହିଛି। ଦୂତାବାସ ପକ୍ଷରୁ ସମସ୍ତ ପ୍ରତିଷ୍ଠାନ ଏବଂ ଚୀନ୍‌ ନାଗରିକଙ୍କ ସୁରକ୍ଷା ବୃଦ୍ଧି ପାଇଁ ସତର୍କ କରାଯାଇଥିଲା। ଏପରିକି ସିପିଇସି ପ୍ରକଳ୍ପ ବିରୋଧରେ ଆକ୍ରମଣ ପାଇଁ ଭାରତ ୪୦୦ ମୁସଲିମ୍‌ ଯୁବକଙ୍କୁ ଆଫଗାନିସ୍ତାନ ପଠାଇ ତାଲିମ ଦେଉଛି ବୋଲି ଚଳିତ ମାସ ପ୍ରାରମ୍ଭରେ ପାକିସ୍ତାନ ଗଣମାଧ୍ୟମ ଡନ୍‌ରେ ପ୍ରକାଶ ପାଇଥିଲା। ତେବେ ପ୍ରକଳ୍ପର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କୁ ଚୀନ୍‌ ପ୍ରୋତ୍ସାହନ କରିବା ଘଟଣା ଆତଙ୍କବିରୋଧୀ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର