ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାସ୍ଥିତ ତିଓ୍ଵାରେ ଜଳଭଣ୍ଡାର ଚାରପଟେ ବିପୁଳ ସଂଖ୍ୟକ କଙ୍କଡ଼ା ରହିଥିବାରୁ ବନ୍ଧରେ ଲିକ୍ ହୋଇ ଘାଇ ହୋଇଥିବା କଥା ଗୁରୁବାର ଦିନ ମହାରାଷ୍ଟ୍ର ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜୀ ସାଓ୍ଵନ୍ତ କହିଛନ୍ତି।
ଜଳଭଣ୍ଡାରରେ ଘାଇ ହେବା ଯୋଗଁ ୧୮ ଜଣ ଲୋକଙ୍କ ପ୍ରାଣହାନୀ ଘଟିଥିଲା।
ସେ କହିଛନ୍ତି: ପୂର୍ବରୁ ଲିକେଜ୍ ନ ଥିଲା। ଜଳଭଣ୍ଡାର ଚଉହଦି ବିପୁଳ ସଂଖ୍ୟକ କଙ୍କଡ଼ା ଆସି ରହିବା ପରେ ଲିକେଜ୍ ହେଲା। ସ୍ଥାନୀୟ ଲୋକେ ଏ କଥା ଆମକୁ ଜଣାଇବା ପରେ ଆମ ବିଭାଗ ସେ ସଂକ୍ରାନ୍ତରେ ପଦକ୍ଷେପ ନେଇଛି। ଘଟଣାଟି ଦୁଃଖଦାୟକ।
ନିର୍ମାଣ ଦୁର୍ବଳ ଥିଲା କି, ବୋଲି ପଚରାଯିବାରୁ ମନ୍ତ୍ରୀ କହିଲେ, ସେ ଅଞ୍ଚଳର ଚାଷୀ ଓ ଗ୍ରାମବାସୀଙ୍କ କଚା କାମ ବିଷୟରେ ସେ ଜାଣିବାକୁ ପାଇଛନ୍ତି।
ଏ ଘଟଣାରେ ଘଟିଥିବା ଜୀବନହାନୀ ଯୋଗୁଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ସଚିବସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏ ଘଟଣାର ତଦନ୍ତ କରିବ ବୋଲି ସେ କହିଛନ୍ତି।
ଜଳ ପ୍ରବାହ ଯୋଗୁଁ ଜଳଭଣ୍ଡାର ନିକଟରେ ଥିବା ୧୨ଟି ଘର ମଧ୍ୟ ଭାସି ଯାଇଛି।