ମହାମେଣ୍ଟ ଗଠନ ପୂର୍ବରୁ ଫାଟ

ନୂଆଦିଲ୍ଲୀ: ଶୁକ୍ରବାର ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ସହ ବିରୋଧୀ ମେଣ୍ଟର ଦୁର୍ବଳତା ସାମ୍ନାକୁ ଆସିଛି।  ଅନାସ୍ଥା ବିତର୍କର ଘଟଣାକ୍ରମ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ମହାମେଣ୍ଟରେ ଫାଟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିବା ବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଗଣିତ ଫେଲ୍‌ ହୋଇଛି।  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲ ଗାନ୍ଧୀଙ୍କ ଆଲିଙ୍ଗନ ଏବଂ  ଆଖିମିଟିକାକୁ ନେଇ ସରଗରମ ସ୍ଥିତି ଏବଂ ନାଟକୀୟ ଭାଷଣ ଭିତରେ ଅସଲ ପ୍ରସଙ୍ଗ ସବୁ ହଜିଯାଇଥିଲା।   ଅନାସ୍ଥା ପ୍ରସ୍ତାବ ଆଳରେ ବିରୋଧୀ ଏକତାକୁ ସୁଦୃଢ଼ କରିବା ଏବଂ ବିଜେପି ବିରୋଧୀ ସଦସ୍ୟଙ୍କ ଭୋଟ୍‌ ହାସଲ କରିବାକୁ କଂଗ୍ରେସର ପ୍ର୍ରୟାସ ବିଫଳ ହୋଇଛି। ତେଲୁଗୁ ଦେଶମ ପାର୍ଟିର ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସମର୍ଥନ କରି ଯେଉଁ ଏକତା ପ୍ରଦର୍ଶନ ପାଇଁ ଯୋଜନା କରିଥିଲେ ତାହା ହୋଇପାରିଲା ନାହିଁ।  ଏଭଳି ସ୍ଥିତିରେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହା ପ୍ରସ୍ତାବିତ ମହାମେଣ୍ଟ ପାଇଁ  ବଡ଼ ଝଟ୍‌୍‌କା ହୋଇଥିବା ବେଳେ ବିଜେପି ଏହାର ଫାଇଦା ନେବାକୁ ତତ୍ପର ହୋଇଉଠିଛି। ଅନାସ୍ଥା ସପକ୍ଷରେ ଅତିକମ୍‌ରେ ୧୪୦ରୁ ଅଧିକ ଭୋଟ୍‌ ଆଶା କରାଯାଉଥିଲା, କିନ୍ତୁ  ତାହା ମଧ୍ୟ ସମ୍ଭବ ହୋଇପାରିନାହିଁ। ଅନେକ ଆଞ୍ଚଳିକ ଦଳ ପ୍ରସ୍ତାବ ସପକ୍ଷରେ ଭୋଟ୍‌ ନଦେବା ମଧ୍ୟ ବିସ୍ମୟ ସୃଷ୍ଟି କରିଛି ।  ଅନାସ୍ଥା ପ୍ରସ୍ତାବ ନେଇ ସବୁଠାରୁ ବଡ଼ ଝଟ୍‌୍‌କା ଦକ୍ଷିଣ ରାଜ୍ୟଗୁଡ଼ିକରୁ ମିଳିଛି। ଦକ୍ଷିଣ ଭାରତୀୟ ଦଳଗୁଡ଼ିକ ପରସ୍ପର ବିରୋଧରେ ଅବତୀର୍ଣ୍ଣ ହେବାରୁ ଅନାସ୍ଥା ବିରୋଧରେ ଆଶାଠାରୁ ଅଧିକ ଭୋଟ୍‌ ସମ୍ଭବ ହୋଇପାରିଛି।   ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଅନ୍ୟତମ ଦଳ ଟିଆର୍‌୍‌ଏସ୍‌ ଭୋଟିଂରେ ଅନୁପସ୍ଥିତ ରହି ମୋଦି ସରକାରକୁ ଫାଇଦା ପହଞ୍ଚାଇଛି। ଦକ୍ଷିଣ ଭାରତର ଅନ୍ୟତମ ଦଳ ଏଆଇଏଡିଏମ୍‌କେ ଏହି  ପ୍ରସ୍ତାବ ବିରୋଧରେ ଭୋଟ୍‌ ଦେଇଛି। ଏବେ ଦକ୍ଷିଣରେ ରାଜନୀତିର ଚିତ୍ର ବଦଳିବାରେ ଲାଗିଛି ଏବଂ ଟିଡିପି ଏନ୍‌ଡିଏର ହାତ ଛାଡ଼ିବା ପରେ ବିଜେପି  ନୂଆ ସହଯୋଗୀ ଖୋଜୁଛି। ତାମିଲନାଡ଼ୁରେ ଏବେ ଏଆଇଏଡିଏମ୍‌କେ ବିଜେପି ସହିତ ଅଧିକ ଘନିଷ୍ଠ ହୋଇଥିବା ବେଳେ ଚନ୍ଦ୍ରଶେଖର ରାଓଙ୍କ ଟିଆର୍‌୍‌ଏସ୍‌ ମଧ୍ୟ ମୋଦି ସରକାର ପ୍ରତି ଢଳୁଥିବା ଦେଖିବାକୁ ମିଳିଛି।

ବିଜେପି ପାଇଁ ବି ଝଟ୍‌କା

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବରେ ମୋଦି ସରକାରଙ୍କୁ ଆଶାନୁରୂପ ସମର୍ଥନ ମିଳିଥିଲେ ମଧ୍ୟ  ଏହା ବିଜେପି ପାଇଁ   କେତେକ ଦୃଷ୍ଟିରୁ ଝଟ୍‌୍‌କା ସାବ୍ୟସ୍ତ ହୋଇଛି। ଏନ୍‌୍‌ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଶିବସେନା ଅନାସ୍ଥା ପ୍ରସ୍ତାବରେ ଭୋଟିଂ ସମୟରେ ଅନୁପସ୍ଥିତ ରହିଥିଲା। ଶିବସେନା ଲଗାତାର ବିଜେପିକୁ ସମାଲୋଚନା କରିଚାଲିଛି ଏବଂ  ଗତକାଲି ଲୋକସଭାରେ ରାହୁଲଙ୍କ ଭାଷଣକୁ ଭୂୟସୀ ପ୍ରଶଂସା କରିଛି। ବିଜେପି ପାଇଁ ଏହା ଚିନ୍ତାର କାରଣ ହୋଇଥିବା ବେଳେ ଶିବସେନା ବିଜେପି ହାତ ଛାଡ଼ିଲେ ମହାରାଷ୍ଟ୍ରରେ ସମୀକରଣ ବଦଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର