ବାଚସ୍ପତି ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଫାଟ: ସୁରେଶଙ୍କ ନାମାଙ୍କନ ପ୍ରସ୍ତାବରେ ଟିଏମସିର ଦସ୍ତଖତ ନାହିଁ

କୋଲକାତା: ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ସହିତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବା ଆରମ୍ଭ କରିଛି। ବିରୋଧୀ ପ୍ରାର୍ଥୀ କେ.ସୁରେଶଙ୍କ ନାମାଙ୍କନ ପ୍ରସ୍ତାବରେ ଟିଏମସି ସାଂସଦମାନେ ଦସ୍ତଖତ କରିନାହାନ୍ତି। କେ.ସୁରେଶଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିବା ନେଇ ପରାମର୍ଶ କରାଯାଇ ନଥିବାରୁ ଟିଏମସି କଂଗ୍ରେସ ଉପରେ ରାଗିଛି। ଟିଏମସି କହିଛି ରାହୁଲ ଗାନ୍ଧୀ ତାଙ୍କର ପ୍ରାର୍ଥୀ ସମ୍ପର୍କିତ ବିବୃତ୍ତି ଦେବା ପୂର୍ବରୁ ସହଯୋଗୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିନାହାନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଏକପାଖିଆ ନିଷ୍ପତ୍ତି ନେଇଛି।

ରାହୁଲ ମନମୁଖୀ କାର୍ଯ୍ୟ କରିଥିବାରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୁଷ୍ଟ ଅଛନ୍ତି। ଲୋକସଭାରେ ଟିଏମସିର ୨୯ ଜଣ ସଦସ୍ୟ ଅଛନ୍ତି ଏବଂ ଏହା ହେଉଛି ଗୃହର ଚତୁର୍ଥ ବୃହତ୍ତମ ଦଳ। ବର୍ତ୍ତମାନ ଲୋକସଭାରେ ବିରୋଧୀ ଦଳର ୨୩୪ ସାଂସଦ ଥିବାବେଳେ ଏନଡିଏ ପ୍ରାର୍ଥୀ ଓମ ବିର୍ଲା ୨୯୩ ସଦସ୍ୟଙ୍କ ସମର୍ଥନ ପାଇଛନ୍ତି। ଯଦି ନିର୍ବାଚନ ସମୟରେ ଟିଏମସିର ଅସନ୍ତୋଷ ଦୃଶ୍ୟମାନ ହୁଏ ତେବେ କେ. ସୁରେଶଙ୍କୁ ମାତ୍ର ୨୦୫ ଭୋଟ୍ ମିଳିବ। ସୂଚନାନୁସାରେ, ଟିଏମସିକୁ ମନାଇବା ପାଇଁ କଂଗ୍ରେସ ବଡ ନେତାଙ୍କୁ ଦାୟିତ୍ବ ଦେଇଛି।

ଲୋକସଭା ବାଚସ୍ପତି ପଦ ପାଇଁ ସହମତି ଅଭାବରୁ ପ୍ରଥମଥର ପାଇଁ ମତଦାନ ହେବାକୁ ଯାଉଛି। ବୁଧବାର ଲୋକସଭା ବାଚସ୍ପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ। ଏନଡିଏର ଓମ ବିର୍ଲା ନାମାଙ୍କନ ଦାଖଲ କରିଥିଲେ। ଇଣ୍ଡିଆ ଆଲାଇନ୍ସର ସାଂସଦ କେ. ସୁରେଶ ମଙ୍ଗଳବାର ଶେଷ ମୁହୂର୍ତ୍ତରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ବାଚସ୍ପତି ପଦ ପାଇଁ ରାଜନାଥ ସିଂ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଉପ ବାଚସ୍ପତି ପଦବୀ ଦେବାକୁ ବିରୋଧୀ ପ୍ରସ୍ତାବ ଦେଇଥିଲେ, ଯାହା ପରେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସି ନ ଥିଲା। ଏହାର ଜବାବରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଲୋକସଭା ବାଚସ୍ପତି ପଦ ସବୁବେଳେ ଶାସକ ଦଳର ହୋଇଆସୁଛି, ଏଥିପାଇଁ ସହମତି ହେବାର ପରମ୍ପରା ରହିଛି। କିନ୍ତୁ ଉପବାଚସ୍ପତି ପଦ ପ୍ରଦାନ ପାଇଁ ପୂର୍ବରୁ ଏହି ସର୍ତ୍ତ ଲାଗୁ ହୋଇ ନାହିଁ।

ଉଭୟ ପକ୍ଷର ନାମାଙ୍କନ ପରେ ଇଣ୍ଡିଆ ମେଣ୍ଟରେ ଅଶାନ୍ତି ଆରମ୍ଭ ହୋଇଥିଲା। ସୂଚନାନୁସାରେ, ବିରୋଧୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ କଂଗ୍ରେସ ଟିଏମସି ସହ କଥାବାର୍ତ୍ତା କରି ନ ଥିଲା। ଏହି କାରଣରୁ, ଟିଏମସି ସାଂସଦ କେ.ସୁରେଶଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ହୋଇ ନ ଥିଲେ। କଂଗ୍ରେସ, ଶିବସେନା, ଏନସିପି (ଶରଦ ପାୱାର) ଏବଂ ଡିଏମକେର ସାଂସଦମାନେ ମିଳିତ ମଞ୍ଚ ପକ୍ଷରୁ ସ୍ୱାକ୍ଷର କରିଛନ୍ତି।

ସୂଚନାଯୋଗ୍ୟ,ଲୋକସଭା ବାଚସ୍ପତି ପଦ ପାଇଁ ସରକାର ଏବଂ ବିରୋଧୀଦଳର ନେତାଙ୍କ ମଧ୍ୟରେ ଦୁଇ ଦିନ ଧରି ଆଲୋଚନା ଚାଲିଥିଲା, କିନ୍ତୁ କୌଣସି ସହମତି ହୋଇପାରି ନ ଥିଲା। ବାଚସ୍ପତି ପଦକୁ ସମର୍ଥନ କରିବା ପରିବର୍ତ୍ତେ ଉପବାଚସ୍ପତି ପଦବୀ ଦାବିରେ ବିରୋଧୀ ଜିଦ୍ ଧରିଥିଲେ। ଆଲୋଚନା ଶେଷ ହେବା ପରେ ବିରୋଧୀ ଦଳ ପକ୍ଷରୁ ମାଭେଲିକାରା ସଂସଦୀୟ ନିର୍ବାଚନମଣ୍ଡଳୀର କେ.ସୁରେଶଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଥିଲା। କେ.ସୁରେଶ ୮ ଥର ଲୋକସଭା ସାଂସଦ ରହିଛନ୍ତି। ପ୍ରୋଟେମ୍ ସ୍ପିକର ପାଇଁ ସୁରେଶ ଜଣେ ପ୍ରତିଯୋଗୀ ଥିଲେ।

ସମ୍ବନ୍ଧିତ ଖବର