ମୁମ୍ବାଇ: ମୁମ୍ବାଇରେ ଅଟଳ ସେତୁ ଉଦ୍ଘାଟନ ହେବାର ମାତ୍ର ୫ ମାସ ପରେ ଏଥିରେ ଫାଟ ଦେଖାଦେବା ବିଷୟ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ୍ ନାଭି ମୁମ୍ବାଇରେ ଅଟଳ ସେତୁର ଯାଞ୍ଚ କରିବାପରେ ଅଟଳ ସେତୁ ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି। ନାନା ପାଟୋଲ ମଧ୍ୟ ଲୋକଙ୍କ ସୁରକ୍ଷା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି। ପାଟୋଲ ଦାବି କରିଛନ୍ତି ଯେ ପୋଲ୍ର ନିର୍ମାଣ ମାନ ଅତି ଖରାପ୍ ଏବଂ ଏହାର ଏକ ଅଂଶ ସାମାନ୍ୟ ଚାପରେ ଦବି ଯାଉଛି। ମହାରାଷ୍ଟ୍ର କଂଗ୍ରେସ ଶାଖା ପକ୍ଷରୁ ବିଜେପିକୁ କଟାକ୍ଷ କରି କୁହାଯାଇଛି ଯେ ଲୋକଙ୍କର ୧୭,୮୪୩ କୋଟି ଟଙ୍କା ମୋଦୀଙ୍କ ଦ୍ବାରା ପ୍ରଥମ ବର୍ଷାରେ ଧୋଇ ହୋଇଯାଇଛି। କିନ୍ତୁ ଶାସକ ବିଜେପି ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିଛି।
ମହାରାଷ୍ଟ୍ର ବିଜେପି ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ କରି କୁହାଯାଇଛି ଯେ ଅଟଳ ସେତୁକୁ ଅପମାନିତ କରିବା ବନ୍ଦ କର। ଏହା ସ୍ପଷ୍ଟ ହୋଇସାରିଛି ଯେ ଫଟୋରେ ରାସ୍ତାରେ ଯେଉଁ ଫାଟ ଦେଖାଦେଇଛି ତାହା ଅଟଳ ସେତୁରେ ନୁହେଁ। କିନ୍ତୁ ସୋସିଆଲ ମିଡିଆରେ ମିଛ ପୋଷ୍ଟ୍ କରି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ କଂଗ୍ରେସ ଲଗାତାର ପ୍ରୟାସ କରୁଛି। ଅଟଳ ସେତୁ ଅଭିମୁଖେ ଯାଉଥିବା ଅନ୍ୟ ଏକ ସଂଯୋଗକାରୀ ରାସ୍ତାରେ ଏକ ସାଧାରଣ ଫାଟ ଦେଖାଦେଇଥିବା ବେଳେ ତାହାକୁ ଅଟଳ ସେତୁରେ ଫାଟ ବୋଲି ଦର୍ଶାଇ କଂଗ୍ରେସ ହଟଚମଟ କରିବାକୁ ଚାହୁଛନ୍ତି। ଫଟୋରେ ଯେଉଁ ଫାଟ ଦେଖାଯାଉଛି ତାହାର ମଧ୍ୟ ମରାମତି ପାଇଁ ତତ୍କାଳ ପଦକ୍ଷେପ ନିଆଯାଇଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ମଧ୍ୟ ଉକ୍ତ ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି । ଫଡ଼ନାବିସ କହିଛନ୍ତି, ଅଟଳ ସେତୁରେ କୌଣସି ଫାଟ ନାହିଁ କି କୌଣସି ପ୍ରକାର ବିପଦ ନାହିଁ।