ବାଣ ନିଷେଧ କୌଣସି ସମ୍ପ୍ରଦାୟ ବିରୋଧରେ ନୁହେଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦୀପାବଳି ପାଇଁ ପୂର୍ବରୁ ବାଣ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ସୁପ୍ରିମ୍‌କୋର୍ଟ ଗୁରୁବାର କହିଛନ୍ତି ଯେ, ଏହି ନିଷେଧାଦେଶ କୌଣସି ଗୋଷ୍ଠୀ ବା ସମ୍ପ୍ରଦାୟ ବିରୋଧରେ ନୁହେଁ। ତେଣୁ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ଜଷ୍ଟିସ୍ ଏମ୍‌ଆର୍ ଶାହ ଓ ଏଏସ୍ ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଆଦେଶର ଯେପରି ପୂର୍ଣ୍ଣରୂପରେ ପାଳନ କରାଯାଏ, ତାହା ଉପରେ ସମସ୍ତେ ଦୃଷ୍ଟି ଦେବା ଉଚିତ। ମନୋରଞ୍ଜନ ନାମରେ ତୁମେ (ବାଣ ନିର୍ମାତାମାନେ) ସାଧାରଣ ନାଗରିକଙ୍କ ଜୀବନ ସହ ଖେଳିପାରିବ ନାହିଁ। ଆମେ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁ ଯେ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଆମେ ଏଠି ବସିଛୁ ବୋଲି ଖଣ୍ଡପୀଠ କହିଛନ୍ତି। ବିସ୍ତୃତ କାରଣ ଦର୍ଶାଇ ବାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ତେବେ ସବୁ ବାଣ ଉପରେ ନିଷେଧାଦେଶ ନାହିଁ। ବୃହତ୍ତର ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ମାତ୍ରାଧିକ କ୍ଷତିକାରକ ବାଣ ଉପରେ ନିଷେଧାଦେଶ ଜାରି କରାଯାଇଛି।

ବାଣଫୁଟା ଯୋଗୁ ଦିଲ୍ଲୀବାସୀ କିପରି ପ୍ରଦୂଷଣର ଶିକାର ହେଉଛନ୍ତି, ତାହା ସମସ୍ତେ ଜାଣନ୍ତି। ତେଣୁ ସମସ୍ତେ ନିଷେଧାଦେଶ ପାଳନ କରିବାକୁ ବାଧ୍ୟ ବୋଲି ଖଣ୍ଡପୀଠ କହିଥିଲେ। ଏହି ଅବସରରେ ଖଣ୍ଡପୀଠ ଛଅ ଜଣ ବାଣନିର୍ମାତାଙ୍କୁ ‘କାହିଁକି ଆଦେଶ ଅମାନ୍ୟ ପାଇଁ ତୁମକୁ ଦଣ୍ଡିତ କରାଯିବ ନାହିଁ’ ବୋଲି କାରଣ ଦର୍ଶାଇବାକୁ ଆଦେଶ ଦେଇଥିଲେ। ସୁପ୍ରିମ୍‌କୋର୍ଟ କହିଥିଲେ ବଞ୍ଚିବାର ଅଧିକାର ସମସ୍ତଙ୍କର ଅଛି। ଜୀବିକା ନାଁରେ ନିରୀହ ଲୋକଙ୍କ ଜୀବନକୁ ବଳି ପକାଯାଇପାରିବ ନାହିଁ। ବାଣ ତିଆରି ଓ ବିକ୍ରି ବନ୍ଦ ହେଲେ କିଛି ଲୋକଙ୍କ ଜୀବିକା ମାଡ଼ ଖାଇବ ସତ। କିନ୍ତୁ କ୍ଷତିକାରକ ବାଣ ଦ୍ବାରା ଲୋକଙ୍କ ଜୀବନ ପ୍ରତି ବିପଦ ଅଛି।

ତେବେ ପୂର୍ବ ଆଦେଶରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ କୋର୍ଟ ମନା କରିଦେଇଥିଲେ। କେବଳ ଲାଇସେନ୍ସଧାରୀ ବିକ୍ରେତା କେବଳ ସବୁଜ ବାଣ ବିକ୍ରି କରିପାରିବେ ବୋଲି ଅନୁମତି ଦେଇଥିଲେ, ଯାହା କମ୍ କ୍ଷତିକାରକ। କୋର୍ଟ ବାଣର ଅନ୍‌ଲାଇନ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଥିଲେ। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦେଶସାରା ସବୁ ପ୍ରକାର ବାଣ ତିଆରି ଓ ବିକ୍ରି ଉପରେ ନିଷେଧାଦେଶ ଜାରି କରିବାକୁ ଆସିଥିବା ଆବେଦନ ଉପରେ ବିଚାର କରି କୋର୍ଟ ଏହି ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର