ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠରେ ସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଘର, ମନ୍ଦିର, ଆଶ୍ରମ, ସରକାରୀ ଅଫିସ ଆଦିରେ ଫାଟ ପରେ ଏବେ ସେନା ବାରାକରେ ବି ଫାଟ ଦେଖାଯାଇଛି ।
ଏହି କାରଣରୁ କିଛି ସୈନିକଙ୍କୁ ଅନ୍ୟ ଏକ ବାରାକକୁ ସ୍ଥାନାନ୍ତର କରାଯାଇଛି। ତେବେ ନଦୀ ନିକଟରେ ଥିବା ବାରାକରେ ଏହି ଫାଟ ଆସିଛି, ପାହାଡ଼ ଉପରେ ଥିବା ସେନାର ବ୍ରିଗେଡ ମୁଖ୍ୟାଳୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ସେହିପରି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ବାଟାଲିୟନ ବାରାକ ମଧ୍ୟ ସୁରକ୍ଷିତ ରହିଛି । ତିନୋଟି ଆଇଟିବିପି କମ୍ପାନୀ ଷ୍ଟାଣ୍ଡବାଇରେ ଅଛନ୍ତି । ସୂଚନା ଅନୁଯାୟୀ, ତଳିଆ ଅଞ୍ଚଳରେ ଥିବା ଘରଗୁଡ଼ିକରେ ଅଧିକ ଫାଟ ଦେଖାଦେଇଛି । ସେନା ଏବଂ ଆଇଟିବିପି ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ମଙ୍ଗଳବାର ଦିନ ଯୋଶୀମଠରେ ସେନାର ଶୀର୍ଷ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି।
ଏହି ଭୂସ୍ଖଳନ ପରିପ୍ରେକ୍ଷୀରେ ଯୋଶୀମଠକୁ ଏକ ‘ଧସୁଥିବା ଅଞ୍ଚଳ’ ଘୋଷଣା କରାଯାଇଛି, ଗତ କିଛିଦିନ ମଧ୍ୟରେ ଏଠାରେ ଅନେକ ଘର ଏବଂ ରାସ୍ତା ଫାଟିଯାଇଛି, ଯାହା ଏହି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ସମୁଦ୍ରପତନର ୬୧୫୦ ଫୁଟ (୧୮୭୫ ମିଟର) ଉଚ୍ଚତାରେ ଅବସ୍ଥିତ ଯୋଶୀମଠ ହେଉଛି ଅନେକ ହିମାଳୟ ପର୍ବତାରୋହଣ ଅଭିଯାନ, ଟ୍ରେକିଂ ଅଭିଯାନ, କେଦାରନାଥ ଏବଂ ବଦ୍ରିନାଥ ପରି ଲୋକପ୍ରିୟ ତୀର୍ଥସ୍ଥାନର ପ୍ରବେଶ ଦ୍ୱାର |