ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଭାରତ ସମଗ୍ର ବିଶ୍ବରେ ୩ ନମ୍ବର ସ୍ଥାନରେ ରହିଛି । ତେବେ ଆପଣ ବୋଧହୁଏ ଭାବୁଥିବେ ଅଧିକାଂଶ ଦୁର୍ଘଟଣା ଘାଟି ରାସ୍ତାରେ ଅଥବା ଖରାପ ପାଗ ଯୋଗୁଁ ହୋଇଥାଏ । କିନ୍ତୁ ତଥ୍ୟ ଠିକ ଏହାର ବିପରୀତ କଥା କହୁଛି । ଅର୍ଥାତ ସବୁଠାରୁ ଅଧିକ ଦୁର୍ଘଟଣା ହୋଇଥାଏ ସଳଖ ଓ ଭଲ ରାସ୍ତାରେ ଓ ଭଲ ପାଗରେ ।
ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ଗତ ୨୦୨୦ ମସିହାରେ ପ୍ରାୟ ୩ ଲକ୍ଷ ୬୬ ହଜାର ଦୁର୍ଘଟଣା ହୋଇଥିଲା । ଏଥିରେ ପ୍ରାୟ ୧ ଲକ୍ଷ ୩୧ ହଜାର ଲୋକ ମୃତ୍ୟୁବରଣ କରିଥିଲେ । ଏହାର ୬୫ ପ୍ରତିଶତ ବା ୨ ଲକ୍ଷ ୩୭ ହଜାର ଦୁର୍ଘଟଣା ସଳଖ ରାସ୍ତା ଓ ଭଲ ପାଗରେ ହୋଇଥିଲା । ଏଥିରେ ପ୍ରାୟ ୮୫ ହଜାର ଲୋକ ମୃତ୍ୟୁବରଣ କରିଥିଲେ ।
ସାଧାରଣତଃ ଘାଟି ରାସ୍ତା, ଖାଲଖମା ଥିବା ରାସ୍ତାରେ ଅଧିକ ଦୁର୍ଘଟଣା ହୋଇଥାଏ ବୋଲି ମନେ କରାଯାଏ ଓ ଏପରି ରାସ୍ତାରେ ଗାଡି ଚଳାଇବା ପାଇଁ ଦକ୍ଷ ଚାଳକଙ୍କ ଅବଶ୍ୟକତା ପଡେ । କିନ୍ତୁ ସରକାରୀ ତଥ୍ୟରୁ ଏହି ଧାରଣା ଠିକ ନୁହେଁ ବୋଲି ଜଣାପଡ଼ିଛି ।
ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ଯେ ସଳଖ ସଡ଼କରେ ଚାଳକ ମାନେ ଅଧିକ ଦ୍ରୁତ ଗତିରେ ଗାଡ଼ି ଚଲାନ୍ତି । ଏହା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ।