ନୂଆଦିଲ୍ଲୀ : ରବିବାରଦିନ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ପୂର୍ବରୁ ଭାରତର କିଙ୍ଗଫିସର ଏୟାରଲାଇନ୍ସରେ ଚାଲୁଥିଲା । ଏବେ ଦେବାଳିଆ ହୋଇଯାଇ ବନ୍ଦ ହୋଇଯାଇଥିବା ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ  ପକ୍ଷରୁ ୨୦୦୭ରେ ଏହାକୁ ଲିଜ ସୁତ୍ରରେ ଅଣାଯାଇଥିଲା । ପରେ ଏହାକୁ ଥାଇଲାଣ୍ଡର ଏକ ଏୟାରଲାଇନ୍ସ ନୋକ୍ ଏୟାର ଏହାକୁ ଲିଜରେ ନେଇଥିଲା । ପରେ ନେପାଳର ୟେତି ଏୟାରଲାଇନ୍ସ ପକ୍ଷରୁ ଏହାକୁ ୨୦୧୯ରେ ଲିଜ ଅଣାଯାଇଥିଲା । କେଏଫ ଟର୍ବୋ ଲିଜିଂ ନାମକ କମ୍ପାନି ହେଉଛି ଏହି ବିମାନର ମାଲିକ ଓ ଏହାକୁ ଲେସର ଇନଭେଷ୍ଟେକ୍ ବ୍ୟାଙ୍କ ପକ୍ଷରୁ ପରିଚାଳନା କରାଯାଇଥାଏ ।

Advertisment

ସୂଚନାଯୋଗ୍ୟ ଯେ ଏହି ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ଛଅ ଜଣ ପିଲାଙ୍କ ସମେତ ୧୫ ଜଣ ବିଦେଶୀ ନାଗରିକ ମଧ୍ୟ ଥିଲେ। ବିମାନ କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ବିମାନରେ ୫୩ ନେପାଳୀ, ୫ ଭାରତୀୟ, ୪ ରୁଷୀୟ, ୨ କୋରିଆ ନାଗରିକ ଏବଂ ଆର୍ଜେଣ୍ଟିନା, ଆୟର୍ଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସର ଜଣେ ଲେଖାଏଁ ନାଗରିକ ଥିଲେ । ଏହାକୁ ନେପାଳ ଇତିହାସରେ ଅନ୍ୟତମ ଭୟଙ୍କର ବିମାନ ଦୁର୍ଘଟଣା ଭାବେ ଗଣାଯାଉଛି ।

ଗତ କିଛି ବର୍ଷ ଧରି ନେପାଳର ବିମାନ ଶିଳ୍ପ ନିରାପତ୍ତା ଚିନ୍ତା ଏବଂ କର୍ମଚାରୀଙ୍କ ପର୍ଯ୍ୟାପ୍ତ ତାଲିମ ସହିତ ସଂଘର୍ଷ କରୁଛି । ସୁରକ୍ଷା ଚିନ୍ତାକୁ ନେଇ ୨୦୧୩ରେ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ପକ୍ଷରୁ ନେପାଳକୁ ବିମାନ କଳା ତାଲିକାରେ ରଖାଯାଇଥିଲା।