ନୂଆଦିଲ୍ଲୀ: ସେନାବାହୀନିରେ ‘ପର୍ମାନେଣ୍ଟ୍ କମିସନ୍’ ଲାଗି ମହିଳାଙ୍କ ନିମନ୍ତେ ଆବଶ୍ୟକ ‘ମେଡିକାଲ୍ ଫିଟ୍ନେସ୍’ ଅପ୍ରାସଙ୍ଗିକ ଏବଂ ଅଯୌକ୍ତିକ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି। ସେନାରେ ‘ପର୍ମାନେଣ୍ଟ୍ କମିସନ୍’ ନିମନ୍ତେ ୮୦ଜଣ ମହିଳା ଅଧିକାରୀ ଫାଇଲ୍ କରିଥିବା ପିଟିସନ୍ର ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ଏ କଥା କହିଛନ୍ତି। ଶୃଙ୍ଖଳାଗତ ଏବଂ ଭିଜିଲାନ୍ସ୍ କ୍ଲିଅରାନ୍ସ୍ ଆଧାରରେ ମହିଳା ଅଧିକାରୀଙ୍କୁ ‘ପରମାନେଣ୍ଟ୍ କମିସନ୍’ ପାଇଁ ବିଚାର କରାଯିବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି।
ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଆମ ସମାଜର ଢାଞ୍ଚା ପୁରୁଷଙ୍କଦ୍ୱାରା ଏବଂ ପୁରୁଷଙ୍କ ନିମନ୍ତେ ସୃଷ୍ଟ ବୋଲି ଆମେ ସ୍ୱୀକାର କରିବା ଉଚିତ।
/sambad/media/post_attachments/wp-content/uploads/2021/03/army3.jpg)
ସେନାର ସିଲେକ୍ଟିଭ୍ ଆନୁଆଲ୍ କନ୍ଫିଡେନ୍ସିଆଲ୍ ରିପୋର୍ଟ (ଏସିଆର୍) ମୂଲ୍ୟାୟନ ଏବଂ ପରବର୍ତ୍ତୀ ସମୟରେ ସେଥିରେ ଅନ୍ତର୍ଭୁକ୍ତ ମେଡିକାଲ୍ ଫିଟ୍ନେସ୍ ମହିଳା ଅଧିକାରୀଙ୍କ ପ୍ରତି ପାତରଅନ୍ତର ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ମୂଲ୍ୟାୟନ ପଦ୍ଧତି ‘ସର୍ଟ ସର୍ଭିସ୍ କମିସନ୍’ ମହିଳା ଅଧିକାରୀମାନଙ୍କର ଆର୍ଥିକ ଏବଂ ମାନସିକ କ୍ଷତିର କାରଣ ବୋଲି ମଧ୍ୟ ଅଦାଲତ କହିଛନ୍ତି।
ପୂର୍ବରୁ ଅଦାଲତ ଦେଇଥିବା ରାୟକୁ ଅବମାନନା କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆରମ୍ଭ କରିବା ଲାଗି ଏହି ମହିଳା ଅଧିକାରୀମାନେ ପିଟିସନ୍ରେ ଉଲ୍ଲେଖ କରିଥିଲେ।
ସେନାରେ ପୁରୁଷ ଅଧିକାରୀଙ୍କ ସହ ସମାନ୍ତରଳ ଭାବେ ମହିଳା ଅଧିକାରୀମାନେ ‘କମାଣ୍ଡ୍ ପୋଜିସନ୍’ରେ ରହିବାକୁ ଯୋଗ୍ୟ ବୋଲି ୨୦୨୦ ଫେବ୍ରୁଆରିରେ ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ।